ସୁଲଭ ମୂଲ୍ୟରେ ମହାପ୍ରସାଦ ଯୋଗାଇବାରେ ପ୍ରଶାସନ ବିଫଳ

ପୁରୀ (ବୁ୍ୟରୋ): କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରକୁ ଆସି ମହୋଦଧିରେ ସ୍ନାନ କରି ଶ୍ରୀଜିଉଙ୍କୁ ଦର୍ଶନ କଲେ ବହୁପୁଣ୍ୟ ମିଳେ ବୋଲି ପୁରାଣରେ କଥିତ ରହିଛି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆନନ୍ଦବଜାରରେ ମହାପ୍ରସାଦ ସେବନ କଲେ ମଣିଷ ଜୀବନ ସାର୍ଥକ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ଏହି ମାସରେ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଥାଏ । ତତ୍ସହିତ ହଜାର ହଜାର ହବିଷ୍ୟାଳୀ ମଧ୍ୟ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ କରିଥାନ୍ତି । ଫଳରେ ଏହି ମାସତମାମ ଚଳଚଞ୍ଚଳ ରହିଥାଏ ଶ୍ରୀକ୍ଷେତ୍ର । ଏହି ସମୟରେ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ସୁଲଭ ମୂଲ୍ୟରେ ଆନନ୍ଦବଜାରରେ ମହାପ୍ରସାଦ ଯୋଗାଇ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ହେଲେ ପ୍ରଶାସନର ନିଷ୍ପତ୍ତି ବୈଠକରେ ସୀମିତ ରହିଲା । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦବଜାରକୁ ଯାଇ ନିରାଶରେ ଫେରୁଛନ୍ତି । ଆନନ୍ଦବଜାରରେ ମହାପ୍ରସାଦର ଦରକୁ ଶୁଣି ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ହେଉଛନ୍ତି । ମହାପ୍ରସାଦକୁ ଆନନ୍ଦବଜାରେ ସେବନ କଲେ ଭକ୍ତମାନେ ଖୁସିବ୍ୟକ୍ତ ହେବା ସହିତ ସେମାନେ ଆତ୍ମସନ୍ତୋଷ ଲାଭ କରିଥାନ୍ତି । ଅବଢ଼ା ଦର ବୃଦ୍ଧି ଯୋଗୁଁ ତାହା ସିଧାସଳଖ ଭକ୍ତଙ୍କ ଉପରେ ପ୍ରଭାବ ପଡୁଛି ।
ଅନ୍ୟପଟରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ନ ପାଇ ଫେରିବାରୁ ସେମାନଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି । ଫଳରେ କାର୍ତ୍ତିକରେ ମହାପ୍ରସାଦ ଦର ଭକ୍ତଙ୍କର ମୁଣ୍ଡରେ ଚଡ଼କ ପଡ଼ିଛି । ଏନେଇ ପ୍ରଶାସନ ନିକଟରେ ଶ୍ରଦ୍ଧାଳୁମାନେ ବାରମ୍ବାର ଅଭିଯୋଗ କଲେ କିଛି ସୁଫଳ ମିଳୁନାହିଁ । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ନ ପାଇ ଦୁଃଖରେ ଫେରୁଥିବା ସିଂହଦ୍ୱାରରେ ଦେଖିବାକୁ ମିଳିଥିଲା ।
ଏନେଇ ବାଲେଶ୍ୱରରୁ ଆସିଥିବା ମହିଳା ଭକ୍ତ ପୁଷ୍ପିତା ସ୍ୱାଇଁ କୁହନ୍ତି ଯେ, ଏହି ମାସରେ ମହାପ୍ରଭୁଙ୍କ ଦର୍ଶନ କରି ଆନନ୍ଦବଜାରରେ ମହାପ୍ରସାଦ ସେବନ କଲେ ପୁଣ୍ୟ ମିଳେ ବୋଲି କଥା ରହିଛି । ସେଥିପାଇଁ ଆମ୍ଭ ପରିବାର ସଦସ୍ୟମାନେ ଏକତି୍ରତ ଭାବେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଧାଡ଼ିରେ ଦୀର୍ଘ ସମୟ ଅପେକ୍ଷା କରି ରହିଲା ପରେ ଦର୍ଶନ ମିଳିଥିଲା । ପରେ ମହାପ୍ରସାଦ ଖାଇବା ପାଇଁ ଆନନ୍ଦବଜାରକୁ ଗଲା ବେଳକୁ ଛୋଟ ଛୋଟ କୁଡୁଆରେ ରହିଥିବା ମହାପ୍ରସାଦର ଦର ୧୫୦ ଟଙ୍କା । ଫଳରେ ଏହାକୁ ଦୁଇଜଣ ଖାଇଲେ ମଧ୍ୟ ପେଟ ପୂରିବ ନାହିଁ । ତେଣୁ ଏନେଇ ସେମାନଙ୍କୁ କହିଲା ପରେ ସେମାନେ କୁହନ୍ତି ଦର କମିବ ନାହିଁ ଇଛା ହେଲେ ନିଅ ନଚେତ୍ ଫେରିଯାଅ । ତେଣୁ ଆମ୍ଭ ପାଖରେ ଏତେ ଟଙ୍କା ନ ଥିବାରୁ ଆମ୍ଭେ ବାହାରକୁ ଆସି ହୋଟେଲରେ ଖାଇଲୁ । ବିଧି ଅନୁଯାୟୀ ୫୦ ଟଙ୍କାର ମହାପ୍ରସାଦ ଟିକେ କିଣି ପରିବାରର ସମସ୍ତ ସଦସ୍ୟ ପାଇଲୁ ।
ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ପ୍ରଶାସନ ପକ୍ଷରୁ ଆନନ୍ଦବଜାରରେ ଶ୍ରଦ୍ଧାଳୁଙ୍କୁ ସୁଲଭ ମୂଲ୍ୟରେ ମହାପ୍ରସାଦ ମିଳିବ ବୋଲି ଖବରକାଗଜରେ ପଢ଼ିଥିଲୁ । ତତ୍ସହିତ କମ୍ଦରରେ ମିଳିବ ବୋଲି ମଧ୍ୟ ପ୍ରକାଶ ପାଇଥିଲା । ତାହା ବାସ୍ତବରେ ଫଳ ଶୂନ୍ । କେବଳ ଆମ୍ଭେ ନୁହେଁ ଆମ ପରି ଆହୁରି କେତେଜଣ ଭକ୍ତ ମଧ୍ୟ ମହାପ୍ରସାଦ ନ କିଣି ନିରାଶରେ ଫେରୁଛନ୍ତି । ପ୍ରଶାସନର ଅବହେଳା ଯୋଗୁଁ ଆନନ୍ଦବଜାରରେ ଏପରି ସ୍ଥିତି ହୋଇଛି ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *