୨୦୨୩ ମାର୍ଚ୍ଚରୁ ଆରମ୍ଭ ହେବ ମହିଳା ଆଇପିଏଲ୍
ଦୁଇ ଭେନୁ୍ୟରେ ଖେଳାଯିବ ୨୨ ମ୍ୟାଚ୍
ମୁମ୍ବାଇ, ୧୩ା୧୦ (ଏଜେନ୍ସି): ମହିଳା ଆଇପିଏଲ୍ ଅର୍ଥାତ୍ ୱିମେନ୍ସ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ଅପେକ୍ଷା ଶେଷ ହୋଇଛି । ଦକ୍ଷିଣ ଆଫ୍ରିକାରେ ମହିଳା ଟି-୨୦ ବିଶ୍କକପ୍ର ଠିକ୍ ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ମହିଳା ଆଇପିଏଲ୍ର ପ୍ରଥମ ସିଜନ୍ ଦୁଇଟି ଭେନୁ୍ୟରେ ଖେଳାଯିବ । ୨୨ ମ୍ୟାଚ୍ ବିଶିଷ୍ଟ ଏହି ମେଗା ଇଭେଣ୍ଟରେ ପ୍ରତି ଟିମ୍ ପାଖରେ ୧୮ ଖେଳାଳି ରହିବେ । ତେବେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଛଅ ରଖାଯାଇଛି । ପାଞ୍ଚରୁ ଅଧିକ ବିଦେଶୀ ଖେଳାଳି ଚୂଡ଼ାନ୍ତ ଏକାଦଶରେ ରହିବେ ନାହିଁ ।
ପୁରୁଷ ଆଇପିଏଲ୍ରେ ସହର ପାଇଁ ନିଲାମଡାକ ହୁଏ । ତେବେ ମହିଳା ଆଇପିଏଲ୍ ପାଇଁ ବିସିସିଆଇ ପାଖରେ ଦୁଇଟି ଯୋଜନା ରହିଛି । ପ୍ରଥମ ଯୋଜନା, ଦେଶର ଛଅଟି ଜୋନ୍ରେ ଟିମ୍କୁ ବିକ୍ରି କରାଯିବ । ପ୍ରତି ଜୋନ୍ରେ କେତେକ ସହରକୁ ଚୟନ କରାଯିବ, ଯେପରିକି ଉତ୍ତରାଞ୍ଚଳରୁ ଧର୍ମଶାଳା/ଜାମ୍ମୁ, ପଶ୍ଚିମାଞ୍ଚଳରୁ ପୁନେ/ରାଜକୋଟ୍, କେନ୍ଦ୍ରାଞ୍ଚଳରୁ ଇନେ୍ଦାର/ନାଗପୁର/ରାୟପୁର, ପୂର୍ବାଞ୍ଚଳରୁ ରାଞ୍ଚି/କଟକ, ଦକ୍ଷିଣାଞ୍ଚଳରୁ କୋଚି/ ବିଶାଖାପାଟଣା, ଉତ୍ତର-ପୂର୍ବାଞ୍ଚଳରୁ ଗୌହାଟୀ ।
ଦ୍ୱିତୀୟ ଯୋଜନା, ଟିମ୍ ବିକ୍ରି କରାଯିବ; କିନ୍ତୁ କୌଣସି ହୋମ୍ ବେସ୍ ରହିବ ନାହିଁ । ମ୍ୟାଚ୍ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ହେବ । ବିସିସିଆଇ ମହିଳା ଆଇପିଏଲ୍ର ଯୋଜନା ଆସନ୍ତା ସପ୍ତାହରେ ହେବାକୁ ଥିବା ଏଜିଏମ୍ରେ ଉପସ୍ଥାପନ କରିବ ଏବଂ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ ସହିତ ବିସିସିଆଇ ଅଧିକାରୀ ନିଷ୍ପତ୍ତି ନେବେ ।
ମହିଳା ଆଇପିଏଲ୍ରେ ଲିଗ୍ ପର୍ଯ୍ୟାୟରେ ପ୍ରତି ଟିମ୍ ପରସ୍ପର ବିପକ୍ଷରେ ଦୁଇ ମ୍ୟାଚ୍ ଖେଳିବେ । ଲିଗ୍ ପର୍ଯ୍ୟାୟର ଟେବୁଲ୍ ଟପ୍ପର ସିଧା ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିବ ।