ତ୍ରାହି ଅଚୁ୍ୟତ ଆଶ୍ରମରେ ବୁଲିଲା ବୁଲ୍ଡୋଜର

ବାଲିଅନ୍ତା(ଆପ୍ର): ଦୀର୍ଘବର୍ଷର ବ୍ୟବଧାନ ପରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଝିଣ୍ଟିଶାସନ ପଞ୍ଚାୟତର ବହୁଚର୍ଚ୍ଚିତ ସୁର ବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ତ୍ରାହି ଅଚୁ୍ୟତ ଆଶ୍ରମରେ ଗୁରୁବାର ପୁନଶ୍ଚ ବୁଲଡୋଜର୍ ବୁଲିଛି । ଆଶ୍ରମରେ ଗଢିଉଠିଥିବା ତ୍ରାହି ଅଚୁ୍ୟତ ନଗରରେ କୋଠାଗୁଡିକ ବିଡିଏର ବିନା ଅନୁମୋଦନରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ କରାଯାଇ ୨୦ଟି ଦ୍ୱିତଳ ପ୍ରାସାଦକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା ବିଡିଏ ।
ବିଡିଏ ପକ୍ଷରୁ କୋର୍ଟଙ୍କ ଅନୁମତି ଲୋଡ଼ା ଯାଇଥିଲା । ବେଆଇନ କେଠାକୁ ଉଛେଦ କରିବାପାଇଁ କୋର୍ଟ ଅନୁମତି ଦେଇଥିଲେ । ଗୁରୁବାର ପୁର୍ବାହ୍ନ ପ୍ରାୟ ୧୧ଟାରେ ବାଲିପାଟଣା ଥାନା ପୁଲିସ ଏବଂ ଏକ ପ୍ଲାଟୁନ୍ ଫୋର୍ସ ସହାୟତାରେ ବିଡିଏ ଅଧିକାରୀ ପ୍ରମୋଦ କୁମାର ପାତ୍ର ଆଶ୍ରମରେ ପହଞ୍ଚି ବେଆଇନ୍ କୋଠାର ତଦନ୍ତ କରିଥିଲେ । ପରେ ଏକ ଡ୍ରୋଜର ସହାୟତାରେ ଉଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ବୁଲେଇ ବେହେରା ନାମକ ଜଣେ ବ୍ୟକ୍ତି ଆଶ୍ରମର ଅନ୍ତେବାସୀଙ୍କ ସହ ମିଶି ପ୍ରତିରୋଧ କରିଥିଲେ । ବୁଲେଇଙ୍କ ଓକିଲ ଚିତରଞ୍ଜନ ଶ୍ରୀଚନ୍ଦନ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅପିଲ କେସ ନଂ ୨୨/୨୦୨୨ କାଗଜ ଦାଖଲ ପରେ ଉଛେଦକୁ ସ୍ଥଗିତ ରଖାଯାଇଥିଲା । ଏଭଳି ୧୨ ଜଣ ଗୃହକର୍ତ୍ତାଙ୍କ ଓକିଲ ଅଦାଲତର ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ପୁନର୍ବିଚାର କରିବାପାଇଁ ଉକ୍ତ କୋଠାଗୁଡିକର ଉଛେଦ ସ୍ଥଗିତ ରଖାଯାଇଛି । କିନ୍ତୁ ୮ ଜଣ ଗୃହକର୍ତ୍ତାଙ୍କୁ ଖୋଜାଯାଇଥିଲା । ସେମାନେ ଧରାଛୁଆଁ ଦେଇ ନ ଥିଲେ । ୭ ଅଟ୍ଟାଳିକାରେ କେହି ରହୁ ନ ଥିବା ଦେଖି ସେଗୁଡିକ ଭାଙ୍ଗିବାପାଇଁ ମାଇକ୍ ଯୋଗେ ଘୋଷଣା କରାଯାଇଥିଲା । ପ୍ରଥମେ ଉମାକାନ୍ତ ଦାଶଙ୍କ ଝିଣ୍ଟିଶାସନ ରାଜସ୍ୱ ମୌଜା ପାର୍ଟ ୯୩-୯୪/୯୯ ପ୍ଲଟ ନଂ ୮୦ ରେ ନିର୍ମାଣ କରାଯାଇଥିବା ତିନି ମହଲା କୋଠାକୁ ଡ୍ରୋଜର ଲଗାଇ ଭଙ୍ଗା ଯାଇଥିଲା । ଏହି ଗୋଟିଏ ଘର ଭାଙ୍ଗି ଅଧିକାରୀମାନେ ଫେରି ଯାଇଥିଲେ ।
୨୦୧୧ ଜାନୁଆରୀରେ ବିଡିଏ ଅଧୀନକୁ ଆସିଥିଲା ଏହି ଆଶ୍ରମ । ଏହା ପରେ ବିଡିଏରୁ ପ୍ଲାନ୍ ନ ନେଇ ଘର ନିର୍ମାଣ କରାଯାଇଥିଲା । ଯେଉଁଥିପାଇଁ ମାମଲା ରୁଜୁ କରାଯାଇଥିଲା । ଭାଙ୍ଗିବା ପୂର୍ବରୁ ନୋଟିସ୍ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *