ମୋ’ ପ୍ରତି ପାତରଅନ୍ତର କରାଯାଉଛି
ଅସନ୍ତୁଷ୍ଟ ଥରୁରଙ୍କ ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ୧୭ରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅଧ୍ୟକ୍ଷ ପଦ ପାଇଁ ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖର୍ଗେ ଏବଂ ଶଶି ଥରୁର ପ୍ରାର୍ଥୀ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଉଭୟ ନେତା ନିଜ ହିସାବରେ ଦଳର ନେତା, ସାଂସଦ ତଥା ବିଧାୟକମାନଙ୍କୁ ନିଜ ସମର୍ଥନରେ ନେବାକୁ ଜୋରସୋରରେ ପ୍ରୟାସ ଜାରି ରଖିଛନ୍ତି । ଏସବୁ ମଧ୍ୟରେ ଥରୁର, ପରୋକ୍ଷରେ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ବିରୋଧୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ନିର୍ବାଚନ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ଛଳରେ ଥରୁର, ଦଳ ଭିତରେ କିଛି ଠିକ୍ ନଥିବା ନେଇ ଇଙ୍ଗିତ କରିଛନ୍ତି । ଥରୁର୍ କହିଛନ୍ତି, ଅଧ୍ୟକ୍ଷ ପଦ ନିର୍ବାଚନ ଉପଲକ୍ଷେ ପ୍ରଚାର ପାଇଁ ମଲ୍ଲିକାର୍ଜୁନ୍ ଖର୍ଗେଙ୍କ ଭଳି ତାଙ୍କୁ ସମାନ ସୁଯୋଗ ଦିଆଯାଉନାହିଁ । ଥରୁରଙ୍କ କହିବାନୁସାରେ ଅନେକ ସ୍ଥାନରେ ରାଜ୍ୟ କଂଗ୍ରେସ କମିଟିର ସଭାପତି ତଥା ବରିଷ୍ଠ ନେତାମାନେ ଖର୍ଗେଙ୍କ ସହ ସମ୍ପର୍କରେ ରହିବା ସହ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଲୋଚନା କରୁଛନ୍ତି, ଯେତେବେଳେ କି ସେ (ଥରୁର ନିଜେ) ଏପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ନେତାମାନଙ୍କୁ ସାକ୍ଷାତ କରିବାର ସୁଯୋଗ ମଧ୍ୟ ପାଇନାହାନ୍ତି । ସେମାନଙ୍କ ସହ ଯୋଗାଯୋଗ କରିବାକୁ ନିରନ୍ତର ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ନେତୃବୃନ୍ଦ ଧରାଛୁୂଆଁ ଦେଉନାହାନ୍ତି । ଆୟୋଜନ କରାଯାଉଥିବା ବୈଠକରେ ମଧ୍ୟ ଅନେକ ନେତା ଅନୁପସ୍ଥିତ ରହୁଛନ୍ତି, କିନ୍ତୁ ଖର୍ଗେଙ୍କ ବୈଠକରେ ସମସ୍ତେ ଯୋଗ ଦେଉଥିବା ସେ ଦେଖିବାକୁ ପାଉଛନ୍ତି । ତେବେ ଖର୍ଗେ ଦଳର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ତାଙ୍କ (ଖର୍ଗେ) ସହ ତାଙ୍କର କୌଣସି ବିଦ୍ୱେଷ କିମ୍ବା ମତାନ୍ତର ନଥିବା ଥରୁର ପୁନର୍ବାର ସ୍ପଷ୍ଟ କରିଛନ୍ତି ।
ଥରୁର କହିଛନ୍ତି, ଦୀର୍ଘ ୨୪ ବର୍ଷ ଧରି ଦଳ ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଇଁ ହୋଇନଥିବା ବେଳେ ଏବେ ଏହା ହେବାକୁ ଯାଉଛି । ହୁଏତ ଏଥିପାଇଁ ପୁରା ପ୍ରକ୍ରିୟାରେ ତ୍ରୁଟି ରହିଥିବା ସେ ଅନୁଭବ କରୁଛନ୍ତି । ଦଳ ପକ୍ଷରୁ ଯେଉଁ କାର୍ଯ୍ୟକର୍ତ୍ତାଙ୍କ ଫୋନ୍ ନମ୍ବର ତଥା ଠିକଣା ତାଙ୍କୁ (ଥରୁର) ମିଳିଛି, ସେଥିରେ ଅନେକ ତ୍ରୁଟି ରହିଛି । ଉଦେ୍ଦଶ୍ୟମୂଳକ ଭାବେ ଏସବୁ କରାଯାଇଥିବା ସେ ଭାବୁନଥିଲେ ମଧ୍ୟ ଦୀର୍ଘ ଦିନର ବ୍ୟବଧାନ ଯୋଗୁ ଏସବୁ ତ୍ରୁଟି ସାମ୍ନାକୁ ଆସୁଥିବା ଥରୁର କହିଛନ୍ତି । ତେବେ କାରଣ ଯାହା ବି ହେଉ, ଏସବୁ କାରଣ ପାଇଁ ନିର୍ବାଚନ ତାରିଖ ପୂର୍ବରୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚôବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବା ଥରୁର କହିଛନ୍ତି । ମୋଟାମୋଟି ଖର୍ଗେଙ୍କ ପ୍ରତି ଦଳୀୟ ନେତାଙ୍କ ବ୍ୟବହାର ଏବଂ ତାଙ୍କ ପ୍ରତି ହେଉଥିବା ବ୍ୟବହାର ମଧ୍ୟରେ ବେଶ୍ ପାର୍ଥକ୍ୟ ରହିଛି ବୋଲି ଥରୁର ଦର୍ଶାଇଛନ୍ତି । ତେବେ ଏସବୁ କାରଣରୁ ଥରୁର ଏବେ ମାତ୍ରଧିକ ଅସନ୍ତୁଷ୍ଟ ହୋଇପଡିଥିବା ଅନୁମାନ କରାଯାଉଛି ।