ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ଯୁବକ ମୃତ
ରୂପଯାତ୍ରା ଭସାଣି ହେଲା କାଳ
କଟକ/ଚୌଦ୍ୱାର,୧୩ ।୧୦(ବୁ୍ୟରୋ): କାଳ ହେଲା ରୂପଯାତ୍ରା ଭସାଣି ଦର୍ଶନ । ହସଖୁସିରେ ସାଙ୍ଗ ହୋଇ ଭସାଣି ଦେଖିବାକୁ ଯାଇଥିଲେ । କିନନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଯାତ୍ରା ଦେଖି ଫେରୁଥିବା ବାଟରେ ୩ ଜଣ ଯୁବକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି । ଯାହାକି କଟକକ ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତକ ମାନେ ହେଲେ ଚୌଦ୍ୱାର ପୌରପାଳିକା ୪ନମ୍ବର ୱାର୍ଡ଼ ମହାଜନସାହିର ବାଦଲ ସାହୁ(୨୦), କଟକ ଚାଉଳିଆଗଞ୍ଜ ତଳସାହିର ନିଲୁ ମହଲା ଓ ତ୍ରିଲୋଚନ ସାହୁ (୨ଠ) । ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଜଗତପୁର ଥାନା ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ନିଲୁ ଓ ତା’ ସାଙ୍ଗ ତ୍ରିଲୋଚନ ଚୌଦ୍ୱାରରେ ଚାଲିଥିବା ରୂପଯାତ୍ରା ଭସାଣ ଉସôବ ଦେଖିବା ପାଇଁ ମହାଜନସାହିସ୍ଥିତ ମାଉସୀ ଘରକୁ ଯାଇଥିଲେ । ବୁଧବାର ବିଳମ୍ବିତ ରାତିରେ ଭସାଣ ଯାତ୍ରା ଦେଖିସାରି ନିଲୁ, ବାଦଲ, ତ୍ରିଲୋଚନ ଏବଂ
ଆଉଜଣେ ସାଙ୍ଗ ତଥା ଚୌଦ୍ୱାର ବେଉରା ସାହିର ଶୁଭମ୍ ସେଠୀ ଏକାଠି କେନାଲ କୂଳକୁ ଯାଇଥିଲେ । ସମସ୍ତେ ବେଲମାଳିଆ ନିକଟ କେନାଲ ବ୍ରିଜ୍ ଉପରେ ବସିଥିବାବେଳେ ଜଣେ କେନାଲକୁ ଗଳି ପଡ଼ିଥିଲା । ତାକୁ ଉଦ୍ଧାର କରିବା ପାଇଁ ଅନ୍ୟ ତିନି ସାଙ୍ଗ କେନାଲକୁ ଡେଇଁଥିଲେ । ଜଳସ୍ରୋତ ପ୍ରଖର ଥିବାରୁ ନିଲୁ, ବାଦଲ ଓ ତ୍ରିଲୋଚନ ବୁଡ଼ି ଯାଇଥିଲେ । ସୌଭାଗ୍ୟକ୍ରମେ ଶୁଭମ୍ କେନାଲ କୂଳକୁ ଚାଲି ଆସିଥିଲେ । ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ଓ ପୁଲିସକୁ ଖବର ଦିଆଯାଇଥିଲା । ଜଗତପୁର ପୁଲିସ, ଓଡ୍୍ରାଫ ଟିମ୍, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ପାଇ ନ ଥିଲେ ।
ଆଜି ସକାଳେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ଜଗତପୁର ପୋଡ଼ାବର ନିକଟରୁ ତ୍ରିଲୋଚନ ଓ ନିଲୁର ମୃତଦେହ ଉଦ୍ଧାର କରିଥିଲେ । ପରେ ଆଠମାଣିଆ ନିକଟରେ ବାଦଲର ମୃତଦେହ ମିଳିଥିଲା । ଖବର ପାଇ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସକାଳେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ଏହା ପଛରେ ଅନ୍ୟ କିଛି ଚକ୍ରାନ୍ତ ଥିବା ଓ ପିଲାମାନଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରି ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ସେମାନେ ରାତିରେ ବାଦୁଡ଼ି ତୋଟାର ନିଛାଟିଆ ସ୍ଥାନରେ ଏକତ୍ରିତ ହୋଇଥିଲେ । ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଲା ତାହା ତୁରନ୍ତୁ ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି ।