ୟୁକ୍ରେନ୍ ନାଟୋରେ ମିଶିଲେ ବିଶ୍ୱଯୁଦ୍ଧ

ମସ୍କୋ, ୧୩ ।୧୦: କ୍ରିମିଆ ବ୍ରିଜ୍କୁ ୟୁକ୍ରେନ୍ ଟ୍ରକ୍-ବୋମାରେ ଆଂଶିକ ଧ୍ୱସ୍ତ କରିଦେବା ପରେ ରୁଷିଆ ତା’ର ଯୁଦ୍ଧ ରଣନୀତି ବଦଳାଇ କ୍ରମାଗତ ୩ଦିନ ହେଲା ରାଜଧାନୀ କିବ୍ ସମେତ ଅନେକ ସହର ଉପରେ ମିସାଇଲ୍ ଆକ୍ରମଣ ଜାରି ରଖିଛି । ଏଥିରେ ଅନେକ ବେସାମରିକ ବ୍ୟକ୍ତି ନିହତ ହେଲେଣି । ଏଥିରେ ବିବ୍ରତ ହୋଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ନାଟୋ ମେଣ୍ଟରେ ସାମିଲ୍ ହେବାଲାଗି ତୁରନ୍ତ ଆବେଦନ କରିବାରୁ ରୁଷିଆ ପକ୍ଷରୁ ପଶ୍ଚିମ ଦେଶମାନଙ୍କୁ ଯେଉଁ ଖୋଲା ଚେତାବନୀ ଦିଆଯାଇଛି, ସେଥିରେ ପୃଥିବୀସାରା ଚହଳ ପଡ଼ିଯାଇଛି । ନାଟୋରେ ୟୁକ୍ରେନ୍ ପ୍ରବେଶ କଲେ ପରିଣାମସ୍ୱରୂପ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି ରୁଷ୍ ସୁରକ୍ଷା ପରିଷଦର ଉପସଚିବ ଆଲେକ୍ଜାଣ୍ଡର ବେନେଡିକ୍ଟୋବ ଚେତାବନୀ ଦେଇଛନ୍ତି ।
ଗୁରୁବାର ଟିଏଏସ୍ଏସ୍ ନୁ୍ୟଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୟୁକ୍ରେନ୍ ଆମେରିକା ନେତୃତ୍ୱାଧୀନ ନାଟୋ ସାମରିକ ମେଣ୍ଟର ସଦସ୍ୟ ହେଲେ ନିଶ୍ଚିତ ରୂପେ ପୃଥିବୀ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଯିବ ।
ଉଲ୍ଲେଖଯୋଗ୍ୟ, ଜେଲେନ୍ସ୍କି ସେପ୍ଟେମ୍ବର ଶେଷ ଭାଗରେ ନାଟୋ ସାମରିକ ମେଣ୍ଟ ଫାଷ୍ଟ-ଟ୍ରାକ୍ ସଦସ୍ୟତା ଘୋଷଣା କରିଥିଲେ । ସେପ୍ଟେମ୍ବର ୩ଠ ତାରିଖ ଦିନ ରୁଷ୍ ରାଷ୍ଟ୍ରପତି ପୁତିନ୍ ୟୁକ୍ରେନ୍ର କିଛି ଇଲାକା ରୁଷ୍ରେ ମିଶିଲା ବୋଲି ଘୋଷଣା କରିବାର ଅଳ୍ପ କେତେଘଣ୍ଟା ପରେ ଜେଲେନ୍ସ୍କି ନାଟୋର ଫାଷ୍ଟ-ଟ୍ରାକ୍ ସଦସ୍ୟତା କଥା କହିଥିଲେ । ଏପର୍ଯ୍ୟନ୍ତ ୟୁକ୍ରେନ୍କୁ ନାଟୋ ସଦସ୍ୟତା ମିଳିନାହିଁ । ନାଟୋର ସବୁ ସଦସ୍ୟ ରାଷ୍ଟ୍ର ସହମତ ହେଲେ ଯାଇ ୟୁକ୍ରେନ୍କୁ ସଦସ୍ୟତା ମିଳିବ ।
ରୁଷ୍ର ଆଣବିକ ଯୁଦ୍ଧ ଧମକରେ ଆମେରିକା ଦେଇଛି କଡ଼ା ପ୍ରତିକ୍ରିୟା । ଆମେରିକାର ବିଦେଶ ବିଭାଗ ପ୍ରବକ୍ତା ଜେଡ୍ ତାରର କହିଛନ୍ତି, ରୁଷ୍ର ଧମକ ସମ୍ପୂର୍ଣ୍ଣ ଅନୁଚିତ୍ । ବିଶ୍ୱ ରାଜନୀତି ପାଇଁ ଏଭଳି ଧମକ ଅବା‚ିତ । ଆମ ମତରେ, ପରମାଣୁ ଅସ୍ତ୍ରର କେବେବି ପ୍ରୟୋଗ କରାଯିବା ଅନୁଚିତ୍; ଏଭଳି ଧମକର କୌଣସି ଅର୍ଥ ନାହିଁ ।
ବୁଧବାର ଜାତିସଂଘ ମହାସଭାରେ ରୁଷ୍ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଉପସ୍ଥାପନପୂର୍ବକ ଭୋଟିଂ ହୋଇଥିଲା । ପ୍ରସ୍ତାବ ସପକ୍ଷରେ ୧୪୩ ଭୋଟ୍ । ଭାରତ କିନ୍ତୁ ଭୋଟିଂରେ ଭାଗ ନେଇନଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *