ପଞ୍ଚତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ପୁଷ୍କରିଣୀର ଚତୁଃପାଶ୍ୱର୍ରେ ଭଙ୍ଗା ପାଚେରିକୁ ନୂଆ ରୂପ ଦିଆଯିବ । ତତ୍ସହିତ ପୁଷ୍କରିଣୀରୁ ଦୂଷିତ ଜଳ କିଭଳି ବାହାର କରାଯାଇ ତାହାକୁ ପରିଷ୍କାର କରାଯାଇ ବ୍ୟବହାର ଉପଯୋଗୀ କରାଯାଇପାରିବ ସେନେଇ କାର୍ଯ୍ୟ ଚାଲିଛି । କାର୍ତ୍ତିକ ମାସ ପୂର୍ବରୁ ପୁଷ୍କରିଣୀକୁ ନୂତନ ରୂପ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ କାର୍ତ୍ତିକ ମାସ ଆରମ୍ଭ ହୋଇଥିଲେ ହେଁ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା । ଏନେଇ ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଲା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି ।
ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀରେ ରହିଥିବା ପଞ୍ଚତୀର୍ଥ ମାର୍କଣ୍ଡେୟ, ଇନ୍ଦ୍ରଦୁ୍ୟମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ର ଆଦି ପ୍ରମୁଖ ତୀର୍ଥ ପୁଷ୍କରିଣୀର ଚତୁଃପାଶ୍ୱର୍ରେ ପାଚେରି ନିର୍ମାଣ କାର୍ଯ୍ୟ ଜାରି ରହିଛି । ତତ୍ସହିତ ପୁଷ୍କରିଣୀର ଜଳକୁ ପରିଷ୍କାର କରାଯାଉଛି । ଅନ୍ୟପକ୍ଷରେ ତୀର୍ଥ ପୁଷ୍କରିଣୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଜାରି ରହିଛି । ଏହାପରେ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଥାଉକି, ଶ୍ରୀକ୍ଷେତ୍ରର ଅନନ୍ୟ ତୀର୍ଥ ସ୍ଥାନ ପଞ୍ଚତୀର୍ଥ । ପୁରାଣର କଥିତ ଅନୁଯାୟୀ ଏଠାକୁ ଆସୁଥିବା ଭକ୍ତମାନେ ମହାକାର୍ତ୍ତିକରେ ଏହି ପୁଷ୍କରିଣୀରେ ସ୍ନାନ କଲେ ବହୁ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । କେବଳ ସେତିକି ନୁହେଁ ଏଠାରେ ବର୍ଷତମାମ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ହେଲେ ଗତ କିଛିବର୍ଷ ଧରି ପ୍ରଶାସନର ଅଣଦେଖା ଯୋଗୁ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏନେଇ ଖବର ପ୍ରକାଶ ପାଇଲା ପରେ ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *