୧୫ କୋଟି ବ୍ୟାଙ୍କ ବାଲାନ୍ସ
ପୁଲିସ୍ ହାତରେ ଅର୍ଚ୍ଚନା ବ୍ୟାଙ୍କ ତଥ୍ୟ
ଭୁବନେଶ୍ୱର, ୧୩ା୧୦ (ବୁ୍ୟରୋ): ଅର୍ଚ୍ଚନାର ୫ ଆକାଉଣ୍ଟର ତଥ୍ୟ ହାସଲ କରିଛି କମିଶନରେଟ୍ ପୁଲିସ୍ । ଆକାଉଣ୍ଟର ପ୍ରାୟ ୫ ବର୍ଷର ଆର୍ଥିକ କାରବାରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । ଯାଞ୍ଚ ସମୟରେ ପୁଲିସକୁ ହାଇ ପ୍ରୋଫାଇଲ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ମିଳିଛି । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଅନାମଧେୟ ଆକାଉଣ୍ଟରୁ ବଡ ପରିମାଣର ଟଙ୍କା ଆସିଛି । ଏହି ଆକାଉଣ୍ଟରେ ବଡ ଏମାଉଣ୍ଟର ନେଣଦେଣ ହୋଇଛି । ଏହି ହାଇପ୍ରୋଫାଇଲ ଟ୍ରାଞ୍ଜାକ୍ସନରେ ପାୱାର କରିଡରର କିଛି ନେତା, ମନ୍ତ୍ରୀ ଓ ସରକାରୀ ବାବୁ ସାମିଲ ଥିବା ସନେ୍ଦହ କରାଯାଉଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୁଲିସ୍ କିଛି ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଫାଇନାନ୍ସିଆଲ ଆଡଭାଇଜରଙ୍କ ସହାୟତା ନେଇଛି । ବଡ କଥା ହେଲା ଏହାର ତଦନ୍ତ କରିବା ପାଇଁ ଇଡିର ସହାୟତା ନିଆଯିବ କି? ଇନକମ ଟାକ୍ସ ବିଭାଗର ସହାୟତା ନିଆଯିବ କି ସେ ନେଇ ପ୍ରଶ୍ନ ଉଠିଛି । କାରଣ ଅର୍ଚ୍ଚନାଙ୍କ ସମ୍ପତି ୫୦ କୋଟିର ହୋଇଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ୨୫ରୁ ୩୦ କୋଟିର କାରବାର ହୋଇଛି । ଏବେ ପ୍ରାୟ ୧୫ କୋଟର ବାଲାନ୍ସ ରହିଛି ।
ସେପଟେ ଅର୍ଚ୍ଚନାଙ୍କ ପ୍ରାସାଦରେ ବେଧଡ଼କ ଭାବେ ଡ୍ରଗ୍ସ କାରବାର ଚାଲିଥିବା ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି । ବିଜେଡିର ବହୁ ଯୁବ ନେତା ଅର୍ଚ୍ଚନାଙ୍କ ଘରକୁ ବେଧଡ଼କ ଯିବା ଆସିବା କରୁଥିଲେ । ଅର୍ଚ୍ଚନାଙ୍କ ସାମ୍ରାଜ୍ୟରେ କେବଳ ଯେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ତାହା ନୁହେଁ, ଡ୍ରଗ୍ସର ପସରା ବି ମେଲୁଥିଲା । ଏହାର କାର୍ପଟଦାର ଥିଲେ ଖୋଦ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଘଟଣାରେ ବହୁ ବଡ଼ବଡ଼ିଆ ସାମିଲ ଥିବାବେଳେ ପୁଲିସ୍ ଉପର ଠାଉରିଆ ଭାବେ ତଦନ୍ତ କରି ଏହାକୁ ଚପାଇବାକୁ ଭରପୂର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଗିରଫଦାରୀର ସପ୍ତାହେ ପରେ ବି ପୁଲିସ୍ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣୁନାହିଁ କିମ୍ବା ସ୍ୱାମୀ ଜଗବନ୍ଧୁର ମଧ୍ୟ ପତ୍ତା ପାଉନାହିଁ । ଗ୍ଧଦ୍ଭଙ୍ଖରଳୠଳଈ ଗ୍ଦଶ, ଜଣେ ପୀଡ଼ିତା ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କ କଳାଧନ୍ଦାର ଗୁମର ଧୀରେ ଧୀରେ ଫିଟିବା ଆରମ୍ଭ କରିଛି । ହେଲେ, ପୁଲିସ୍ ଉକ୍ତ ଯୁବତୀଙ୍କୁ ଡାକି ପଚରାଉଚରା କରୁ ନାହିଁ କି ମାଜିଷ୍ଟ୍ରେଟଙ୍କ ଆଗରେ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରୁନାହିଁ । ଯାହା ମାମଲାରେ ପୁଲିସ୍ର ନିଷ୍କ୍ରିୟତାକୁ ଦର୍ଶାଉଥିବା ବିଜେପି ଅଭିଯୋଗ କରିଛି ।
ଅର୍ଚ୍ଚନାଙ୍କ ଲାପଟପ୍ ଓ ମୋବାଇଲରେ ସବୁ ତଥ୍ୟ ରହିଛି । ପୁଲିସ୍ ସବୁ ଜବତ କରିଛି, ହେଲେ ପାଟି ଫିଟାଉନି, ତଦନ୍ତ ଚାଲିଛି କହି ଦିନ ଗଡ଼ାଇବାରେ ଲାଗିଛି । ଅପରପକ୍ଷେ, ଏହି ହାଇ ପ୍ରୋଫାଇଲ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେହିପରି ହାଇକୋର୍ଟଙ୍କ ସିଟିଂ ଜଜ୍ଙ୍କ ତତ୍ତ୍ୱାବଧାନତାରେ ଏକ ଏସ୍ଆଇଟି ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ସନ୍ତୋସ ସିଂ ସାଲୁଜା କହିଛନ୍ତି । ତେବେ ଏହି ଘଟଣାରେ ତଦନ୍ତ ଚାଲିଛି । ଯଦି କେହି ଦୋଷୀ ଥିବେ ଦଣ୍ଡ ପାଇବେ । ଆଇନ୍ ତା ବାଟରେ ଯିବ ବୋଲି ବିଜେଡି ନେତା ତଥା ସାଂସଦ ମୁନ୍ନା ଖାଁ କହିଛନ୍ତି ।
ସେପଟେ ଅର୍ଚ୍ଚନାଙ୍କ ଜେଲ୍ ଭିତର କାର୍ଯ୍ୟକଳାପ ନେଇ ସୂଚନା ମିଳିଛି । ଅର୍ଚ୍ଚନା ଏବେ ଝାଡପଡା ଜେଲର ମହିଳା ୱାର୍ଡରେ ରହୁଥିବାବେଳେ କେବଳ ଜଣେ ମହିଳା ଅନ୍ତୋବାସୀଙ୍କ ସହ ନିଜ ଭାବନା ପ୍ରକାଶ କରୁଛନ୍ତି । ଅଧିକାଂଶ ସମୟ ନୀରବ ରହିବା ସହ ଚଟାଣରେ ଶୋଇ ଟିଭିରେ ବିଭିନ୍ନ ନୁ୍ୟଜ୍ ଚ୍ୟାନେଲ୍ ଦେଖୁଥିବା ଜଣାପଡ଼ିଛି । ସେଠାରେ ସେ କୌଣସି ପ୍ରକାର ବୟାନ ଦେଉନାହାନ୍ତି ଓ ଚପୁଚାପ ରହୁଛନ୍ତି । ମଝିରେ ମଝିରେ ମୁରୁକି ହସୁଛନ୍ତି । ଆଉ ନିଜ ନାଁରେ ନୁ୍ୟଜ ଦେଖିବା ପରେ ସାଥି କଏଦୀଙ୍କ ଆଡକୁ ମଧ୍ୟ ଟିକିଏ ଟିକିଏ ଚାହୁଁଛନ୍ତି । ନୁ୍ୟଜ୍ ଦେଖିବା ସହ ନିଜ ମନପସନ୍ଦର ସିରିଏଲ୍ ମଧ୍ୟ ଦେଖୁଛନ୍ତି । ତାଙ୍କ ନାଁରେ ୨ ହଜାର ଟଙ୍କାର ଜେଲ କ୍ୟାଣ୍ଟିନ ପାଇଁ ଟୋକେନ ଦିଆଯାଇଥିଲେ ବି ଟୋକନରୁ ବର୍ତ୍ତମାନ ସୁଦ୍ଧା ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି । ପୁଲିସ ବର୍ତ୍ତମାନ ବରମୁଣ୍ଡା ଓ ନୟାପଲ୍ଲୀରେ ଦାୟର ହୋଇଥିବା ଏତଲା ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇଛି ।