ଥଇଥାନ ଓ ପଟ୍ଟା ଦାବିରେ ନିଗମ ଅଫିସ ଘେରାଉ

ଉଚ୍ଛେଦ ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ
ବ୍ରହ୍ମପୁର (ବୁ୍ୟରୋ): ମହାନଗର ନିଗମ ପକ୍ଷରୁ ବୁଧବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନ ୩୭ନଂ ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦ କରାଯାଇଥିଲା । ଏହାକୁ ପ୍ରତିବାଦକରି ଗୁରୁବାର ବସ୍ତିବାସିନ୍ଦା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଥଇଥାନ ଓ ପଟ୍ଟା ଦାବିରେ ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ପ୍ରକାରେ ଉଚ୍ଛେଦ ପୂର୍ବରୁ ନିଗମ ପକ୍ଷରୁ ସେମାନଙ୍କୁ ଥଇଥାନ କରାଯାଇନାହିଁ । ଅଳ୍ପ କିଛି ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ମିଳିଥିବା ବେଳେ ଅଧିକାଂଶ ଲୋକଙ୍କୁ ଏଯାଏଁ ମିଳିନାହିଁ । ଉଚ୍ଛେଦ ପାଇଁ ନୋଟିସ୍ ସମୟରେ ହିଁ ଏହି ପ୍ରସଙ୍ଗକୁ ନେଇ ବହୁବାର ପ୍ରତିବାଦ କରାଯାଇଥିଲା । ତଥାପି ଉଚ୍ଛେଦ କରାଯାଇଥିବାରୁ ବସ୍ତି ବାସିନ୍ଦାମାନେ ଜାଗା ଛାଡିବାକୁ ରାଜି ହୋଇନଥିଲେ । ସେମାନେ ଯେଉଁ ଜାଗାରେ ରହୁଥିଲେ ସେହି ଜାଗାର ପଟ୍ଟା ପ୍ରଦାନ, ନୂତନ ଗୃହ ନିର୍ମାଣ ଓ ଥଇଥାନ, ବର୍ତ୍ତମାନ ଉଚ୍ଛେଦ ଯୋଗୁ ଯେଉଁ କ୍ଷତି ହୋଇଛି ତାହାର ଭରଣା ଓ ନୂତନ ଗୃହ ନିର୍ମାଣ ପର୍ଯ୍ୟନ୍ତ ରହିବା ପାଇଁ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଧାରଣାରେ ବିଜେପି ନେତା ଉତ୍ତମ କୁମାର ପାଣିଗ୍ରାହୀ, ସବିତା ସୁଆର, ୩୭ନମ୍ବର ୱାର୍ଡ କର୍ପୋରେଟର ବନିତା ସାହୁ ଓ ରଞ୍ଜିତା ବେହେରାଙ୍କ ସମେତ ବହୁ ବସ୍ତି ବାସିନ୍ଦା ସାମିଲ ହୋଇଥିଲେ ।
ବୁଧବାର ସକାଳେ ଉଚ୍ଛେଦ ପରେ ସନ୍ଧ୍ୟାରେ ଗୋପାଳପୁର ବିଜେଡି ପକ୍ଷରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଉଚ୍ଛେଦକୁ ନାପସନ୍ଦ କରି ସେମାନଙ୍କୁ ଉଚିତ ଥଇଥାନ କରିବାକୁ ଦାବି କରାଯାଇଥିଲା । ଏପରିକି ଏହି ବିଷୟ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଲକ୍ ବିଜେଡି ସଭାପତି ଅଜିତ ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ । ଅତିରିକ୍ତ କମିଶନର ନିଳମାଧବ ଭୋଇ ଧାରଣାସ୍ଥଳରେ ପହଞ୍ଚô ଆଲୋଚନା କରିବା ସହ ବସ୍ତି ବାସିନ୍ଦାଙ୍କ ଦାବିକୁ ବିଚାରକୁ ନିଆଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ୪ଟି ମୁଖ୍ୟ ଦାବିରୁ ୨ଟି ପୂରଣ ହୋଇସାରିଛି ବୋଲି ଅତିରିକ୍ତ କମିଶନର ଶ୍ରୀ ଭୋଇ କହିଛନ୍ତି । ୧୦୯ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ପରେ ତାଙ୍କୁ ନେହେରୁନଗର ଓ ଆଇନ୍ବନ୍ଧ ସାହିରେ ଥିବା ରାଜୀବ ଆବାସ କୋଠାରେ ଥଇଥାନ କରାଯାଇଛି । କିନ୍ତୁ ସେମାନେ ସେଠାକୁ ଯିବାକୁ ନାରାଜ । ଆଉ ଅନ୍ୟ ଦାବି ସଂପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି । ଧାରଣା ସ୍ଥଳରେ ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ଓ ତାଙ୍କ ଟିମ୍ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *