୩୯% ହିତାଧିକାରୀଙ୍କୁ ମିଳିନି ଦିନକର କାମ
କୋଭିଡ୍ ବର୍ଷରେ ମନରେଗା କାର୍ଡଧାରୀଙ୍କ ଦୁଃଖ
ନୂଆଦିଲ୍ଲୀ (ଏଜେନ୍ସି): ମନରେଗା ଯୋଜନା ଅନ୍ତର୍ଗତ ପଞ୍ଜିକୃତ ସମସ୍ତ ଜବ୍ କାର୍ଡଧାରକଙ୍କ ମଧ୍ୟରୁ ପ୍ରାୟ ୩୯% କାର୍ଡ ଧାରକଙ୍କୁ ୨ଠ୨ଠ-୨୧ ଅର୍ଥାତ୍ କୋଭିଡ୍ କାଳରେ ଦିନକର କାମ ମଧ୍ୟ ମିଳିନାହିଁ । ଏଭଳି ଏକ ସର୍ଭେ ରିପୋର୍ଟ ଏବେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ୨ଠ୨ଠ-୨୧ରେ ମନରେଗା କାର୍ଡ ଧାରକଙ୍କୁ କାମ ନମିଳିବାର କାରଣ ମଧ୍ୟରେ ବ୍ଲକ୍ ସ୍ତରରେ ପର୍ଯ୍ୟାପ୍ତ କାମର ଅଭାବ, ସରକାରୀ ସ୍ତରରେ ନୂଆ କାମ ନେଇ କୌଣସି ଯୋଜନା ନଥିବା ତଥା ଚାଲୁ ରହିଥିବା କାମକୁ ଜାରି ରଖିବାର ଆଗ୍ରହର ଅଭାବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ସର୍ଭେ ରିପୋର୍ଟ ଅନୁସାରେ ହାରାହାରି ୩୬% ମନରେଗା କାର୍ଡ ଧାରକ ପରିବାର କେବଳ ୧୫ଦିନର ପାରିଶ୍ରମିକ ପାଇଛନ୍ତି ।
ପ୍ରକାଶ, ୨ଠ୨୧ ନଭେମ୍ବର-ଡିସେମ୍ବରରେ ଅଜିମ୍ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟ, ନ୍ୟାସନାଲ କନ୍ସୋରଟିୟମ୍ ଅଫ୍ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ସ ଅନ୍ ଏନ୍ଆରଇଜିଏ ଏବଂ କୋଲାବୋରେଟିଭ୍ ରିସର୍ଚ୍ଚ ଆଣ୍ଡ୍ ଡିସ୍ସେମିନେସନ୍ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ସର୍ଭେରେ ୪ ରାଜ୍ୟ (ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ)ର ୮ବ୍ଲକ୍ର ପ୍ରାୟ ୨ହଜାର ମନରେଗା କାର୍ଡ ଧାରକ ପରିବାରଙ୍କୁ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ମନରେଗା ଜବ୍କାର୍ଡ ଧାରକ ଦର୍ଶାଇଥିଲେ ଯେ ସେମାନେ କୋଭିଡ୍ କାଳରେ ପରିବାର ପ୍ରତିପୋଷଣ ପାଇଁ ହାରାହାରି ୭୭ ଦିନର କାମ ଚାହୁଁଥିବା ବେଳେ ସେମାନଙ୍କୁ ଦିନକର କାମ ମଧ୍ୟ ମିଳିନଥିଲା । ତେବେ ଏହି ସମୟରେ ଯେଉଁ କେତେଜଣକଙ୍କୁ କାମ ମିଳିଥିଲା ସେମାନଙ୍କୁ ମଧ୍ୟ ଆବଶ୍ୟକତା ଠାରୁ ଯଥେଷ୍ଟ କମ୍ ଦିନର କାମ ମିଳିଥିଲା ।
ମନରେଗା ଯୋଜନାରେ ଏପ୍ରକାର ଅବହେଳା ତଥା ତ୍ରୁଟି ସତ୍ତ୍ୱେ, ମହାମାରୀ ସମୟରେ ଏହି ଯୋଜନା ଅନେକ ଗରିବ ତଥା ଅଭାବୀ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ସର୍ଭେରୁ ଜଣାପଡିଛି । କେବଳ ମନରେଗା ଯୋଜନା ହିଁ କରୋନା କାଳରେ ଆର୍ଥôକ ସ୍ତରରେ ଗୁରୁତର ଭାବେ ପ୍ରଭାବିତ ହୋଇପଡିଥିବା ବହୁ ଅସୁରକ୍ଷିତ ପରିବାରକୁ ୨ଠରୁ ୮ଠ% ପର୍ଯ୍ୟନ୍ତ ଆୟ ସୁରକ୍ଷା ଯୋଗାଇବାରେ ସଫଳ ହୋଇଛି । ଅଧ୍ୟୟନ ରିପୋର୍ଟ ଅନୁସାରେ ପ୍ରତି ୧ଠ ମନରେଗା ଉପଭୋକ୍ତା ପରିବାର ମଧ୍ୟରୁ ୮ ପରିବାର ମନରେଗା ଯୋଜନା ଅନ୍ତର୍ଗତ ବାର୍ଷିକ କାର୍ଯ୍ୟଦିବସ ଅବଧିକୁ ବୃଦ୍ଧି କରି ସର୍ବନିମ୍ନ ୧ଠଠ ଦିନ କରାଯିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ।