କ୍ୟାନସର୍ ଔଷଧରେ ୫ଠଠଠ% ମୁନାଫା
ନୂଆଦିଲ୍ଲୀ, ୧୨ ।୧୦: ଭାରତରେ ବର୍ଷକୁ ବର୍ଷ କ୍ୟାନସର୍ ରୋଗୀ ସଂଖ୍ୟା ବଢ଼ୁଛି । ଏବର୍ଷ ଏମାନଙ୍କ ସଂଖ୍ୟା ୨୦ ଲକ୍ଷ ହେବା ଅନୁମାନ କରାଯାଉଛି । ଏଫ୍ଆଇସିସିଆଇ ଏବଂ ଇୱାଇର ଏକ ରିପୋର୍ଟ ଅନୁଯାୟୀ, କ୍ୟାନସର୍ ରୋଗୀ ସଂଖ୍ୟା ପଞ୍ଜୀକୃତ ସଂଖ୍ୟାଠାରୁ ପ୍ରାୟ ୩ ଗୁଣ ଅଧିକ । ରୋଗୀ ସଂଖ୍ୟା ବଢ଼ୁଥିବାବେଳେ ଚିକିତ୍ସା ବ୍ୟୟ ମଧ୍ୟ ବଢ଼ୁଛି । ଗରିବ ଶ୍ରେଣୀର ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ମିଳିପାରୁନାହିଁ ।
ରିପୋର୍ଟ ଅନୁଯାୟୀ, ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷ କ୍ୟାନସର୍ ଔଷଧରୁ ୫ ହଜାର ପ୍ରତିଶତ ପର୍ଯ୍ୟନ୍ତ ମୁନାଫା ଉଠାଉଛନ୍ତି । ଘରୋଇ ହସ୍ପିଟାଲ୍ମାନେ ବିକୁଥିବା କ୍ୟାନସର୍ ଔଷଧରେ ସର୍ବନିମ୍ନ ଟ୍ରେଡ୍ ମାର୍ଜିନ୍ ରହୁଛି ୨ ହଜାର ପ୍ରତିଶତ । ଆଲାଏନ୍ସ ଅଫ୍ ଡକ୍ଟର୍ସ ଫର୍ ଏଥିକାଲ୍ ହେଲ୍ଥକେୟାର୍ ସହ ସଂଶ୍ଳିଷ୍ଟ ଡାକ୍ତର ଜି.ଏସ୍. ଗ୍ରେୱାଲ୍ ଔଷଧ ସମ୍ପର୍କରେ ଏନ୍ପିପିଏକୁ ନିକଟରେ ଯେଉଁ ଦସ୍ତାବିଜ ଦେଇଛନ୍ତି, ସେଥିରେ ୨୪ ପ୍ରକାର ଔଷଧର ନାମ ଅଛି । ଏଗୁଡ଼ିକର ବାସ୍ତବ ମୂଲ୍ୟ ଓ ଏମ୍ଆର୍ପିରେ ଆଶ୍ଚର୍ଯ୍ୟଜନକ ପ୍ରଭେଦ (୨ ହଜାର ପ୍ରତିଶତ) ପରିଲକ୍ଷିତ ହୋଇଛି । ଉଦାହରଣସ୍ୱରୂପ, କ୍ୟାନସର୍ ଚିକିତ୍ସାରେ ଲାଗୁଥିବା ଜେମସେଟାବିନ୍-୧ ଗ୍ରାମ୍ ହସ୍ପିଟାଲ୍କୁ ୯୦୦ ଟଙ୍କାରେ ଯୋଗାଯାଉଥିବା ସ୍ଥଳେ ରୋଗୀମାନେ ଏହାକୁ ୬୫୯୭ ଟଙ୍କାରେ କିଣୁଛନ୍ତି । ସେହିପରି ୧୩୫୦ ଟଙ୍କାରେ ମିଳୁଥିବା ଆଣ୍ଟି-କ୍ୟାନସର୍ ଇଞ୍ଜେକସନ୍ ପିସିଲିଟେକ୍ସ-୨୬୦ ଏମ୍.ଜି.ର ଏମ୍ଆର୍ପି ରହିଛି ୧୧୯୪୬ ଟଙ୍କା । ଅକ୍ସିପ୍ଲାଟିନ୍-୧୦୦ ଇଞ୍ଜେକ୍ସନ୍ର କ୍ରୟ ମୂଲ୍ୟ ୧୦୯୦ ଟଙ୍କା । ହସ୍ପିଟାଲ୍ କର୍ତ୍ତୃପକ୍ଷ ତାହାକୁ ୫୨୧୦ ଟଙ୍କା (ଏମ୍ଆର୍ପି)ରେ ବିକୁଛନ୍ତି ।
ହେପାଟାଇଟିସ୍-ସି ଚିକିତ୍ସାରେ ଲାଗୁଥିବା ଏଲ୍ବୁମିନ୍କୁ ଘରୋଇ ହସ୍ପିଟାଲ୍ମାନେ ୩୯୦୦ ଟଙ୍କାରେ କିଣୁଛନ୍ତି । କିନ୍ତୁ ସେହି ଔଷଧର ଏମ୍ଆର୍ପି ୬୬୦୫ ଟଙ୍କା । ହସ୍ପିଟାଲ୍ମାନେ ରୋଗୀଙ୍କୁ ଏମ୍ଆର୍ପି ଅନୁସାରେ ଔଷଧ ବିକୁଛନ୍ତି । ରକ୍ତସ୍ରାବ ରୋକିବା ପାଇଁ ଉଦ୍ଦିଷ୍ଟ ରେଟ୍ଲାନ୍ ଇଞ୍ଜେକ୍ସନ୍ ହସ୍ପିଟାଲ୍ମାନଙ୍କୁ ୨୨୫ ଟଙ୍କାରେ ସପ୍ଲାଇ କରାଯାଉଛି । ସେଥିରେ ଏମ୍ଆର୍ପି ଲେଖାଯାଇଛି ୨୬୦୦ ଟଙ୍କା । ମାଇହେପ୍ ଅଲ୍ ବଟିକା ହସ୍ପିଟାଲ୍କୁ ୬୮୦୦ ଟଙ୍କାରେ ମିଳୁଛି । କିନ୍ତୁ ରୋଗୀଙ୍କୁ ଏହା ୧୭୫୦୦ ଟଙ୍କା (ଏମ୍ଆର୍ପି)ରେ ବିକ୍ରି କରାଯାଉଛି । ସେହିପରି ମାଇହେପ୍ ଇଞ୍ଜେକସ୍ନକୁ ମାତ୍ର ୨୧୫୦ ଟଙ୍କାରେ କିଣି ରୋଗୀଙ୍କଠାରୁ ୧୨ ହଜାର ଟଙ୍କାରେ ବିକ୍ରି କରାଯାଉଛି । ମାତ୍ର ୭୫୦ ଟଙ୍କାରେ ହସ୍ପିଟାଲ୍କୁ ମିଳୁଥିବା ମାୟଡେକ୍ଲାର ଏମ୍ଆର୍ପି ୫ ହଜାର ଟଙ୍କା । ରୋଗୀଙ୍କୁ ଏମ୍ଆର୍ପି ଅନୁଯାୟୀ ଏହା ଦିଆଯାଉଛି ।