୧ଠ୮ ଘରେ ବୁଲିଲା ବୁଲ୍ଡୋଜର୍
ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧରେ ଜବରଦଖଲ ଉଚ୍ଛେଦ
ବ୍ରହ୍ମପୁର (ବୁ୍ୟରୋ): ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ଙ୍କ ନିଦେ୍ର୍ଦଶକ୍ରମେ ମହାନଗର ନିଗମ ଅଞ୍ଚଳରେ ଥିବା ପୋଖରୀ ହୁଡ଼ା କଡ଼ର ସମସ୍ତ ବସ୍ତିକୁ ଉଚ୍ଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ପ୍ରଦାନ କରାଯାଉଛି । ଏହି କ୍ରମରେ ବୁଧବାର ମହାନଗର ନିଗମ ପକ୍ଷରୁ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ସାହି ନିକଟ ପୋଖରୀ ହୁଡ଼ା କଡ଼ରେ ରହୁଥିବା ୧୦୮ ଘରକୁ ନିଗମର ବୁଲ୍ାଡାଜର ବୁଲି ଭାଙ୍ଗି ଥିବା ଜଣାପଡ଼ିଛି । ଦୀର୍ଘ ୩୫ବର୍ଷଧରି ଏଠାରେ ବାସ କରୁଥିବା ୮୨ ପରିବାରକୁ ନେହେରୁ ନଗରସ୍ଥିତ ରାଜୀବ ଆବାସ ଯୋଜନାରେ ଓ ୨୬ ପରିବାରକୁ ଆଇନବନ୍ଧ ସାହିସ୍ଥିତ ରାଜୀବ ଆବାସ କୋଠାରେ ଥଇଥାନ କରାଯାଇଥିବା ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
ଉଚ୍ଛେଦକୁ ନେଇ ଦୀର୍ଘଦିନଧରି ବସ୍ତି ବାସିନ୍ଦା ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଥିଲା । ବୁଧବାର ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପୂର୍ବରୁ ନିଗମ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ବସ୍ତି ବାସିନ୍ଦାଙ୍କୁ ସୂଚନା ଦିଆଯାଇଥିଲା । ଏସ୍ପି ଡ.ଶ୍ରବଣା ବିବେକ ଏମ୍ଙ୍କ ନିଦେ୍ର୍ଦଶକ୍ରମେ ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ସହରର ସମସ୍ତ ଥାନାଧିକାରୀ ଓ ପୁଲିସ୍ ଫୋର୍ସ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ଥିଲେ । ଏହାସହ ନିଗମର ଅତିରିକ୍ତ କମିଶନର ନିଳମାଧବ ଭୋଇ, ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିନୋଦ ବେହେରା, ବ୍ରହ୍ମପୁର ତହସିଲଦାର ରବିନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଶୁଭ୍ରପ୍ରସାଦ କାନୁନ୍ଗୋଙ୍କ ଉପସ୍ଥିତିରେ ଉଚ୍ଛେଦ ହୋଇଥିଲା । ସ୍ଥାନୀୟ ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ବୁଧବାର ଉଚ୍ଛେଦ ଶାନ୍ତିପୂର୍ଣ୍ଣ ଭାବେ ସରିଥିଲା ।