ଜକର୍ବର୍ଗଙ୍କ ଫେସ୍ବୁକ୍ ପେଜ୍ ଡାଉନ୍
ୟୁଜର୍ଙ୍କ କୋଟିକୋଟି ଫଲୋୟର୍ ଗାଏବ
ନୂଆଦିଲ୍ଲୀ (ଏଜେନ୍ସି): ଫେସ୍ବୁକ୍ରେ ବୁଧବାର ସକାଳୁ ଏକ ବଡ଼ ବଗ୍ ଦେଖିବାକୁ ମିଳିଥିଲା । ଏହି କାରଣରୁ ଫେସ୍ବୁକ୍ର ମାଲିକ୍ ମାର୍କ ଜକର୍ବର୍ଗଙ୍କ ଫଲୋୟର୍ ସଂଖ୍ୟା ୧୧ କୋଟି ୯ ଲକ୍ଷରୁ କମି ୯୯୯୧ ହୋଇଥିଲା । ଏପରିକି ତାଙ୍କ ଫେସ୍ବୁକ୍ ପେଜ୍ ଡାଉନ୍ ହେବା ସହ ପ୍ରୋଫାଇଲ୍ ପୃଷ୍ଠାରେ ଏରର୍ ମେସେଜ୍ ଦେଖିବାକୁ ମିଳିଥିଲା । ରୁଷ୍ ସରକାର ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ର ପାରେଣ୍ଟ କମ୍ପାନୀ ‘ମେଟା’କୁ ଆତଙ୍କବାଦୀ ସଂଗଠନ ତାଲିକାଭୁକ୍ତ କରିବାର ଦିନକ ପରେ ଏପରି ଘଟିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ ଏହିସବୁ ପ୍ଲାଟ୍ଫର୍ମରେ ରୁଷ୍ ବିରୋଧରେ ଅପପ୍ରଚାର କରାଯାଉଛି । ପୁତିନ୍ ସରକାର ମାର୍ଚ୍ଚରେ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍କୁ ବ୍ୟାନ୍ କରିଥିଲେ ।
ମଙ୍ଗଳବାର ମେଟା ପକ୍ଷରୁ ଫେସ୍ବୁକ୍ ୟୁଜର୍ମାନଙ୍କୁ ଡାଟା ଚୋରି ଚେତାବନୀ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ ଆଣ୍ଡ୍ରଏଡ୍ ଓ ଆଇଓଏସ୍ର ଅନେକ ଆପ୍ ଫେସ୍ବୁକ୍ର ଲଗ୍ଇନ୍ କ୍ରେଡେନ୍ସିଆଲ୍ ଚୋରି କରି ସେଗୁଡ଼ିକର ଦୁରୂପଯୋଗ କରିଛି । ଗୁଗଲ୍ ପ୍ଲେ ଷ୍ଟୋର୍ ଓ ଆପଲ୍ ପ୍ଲେ ଷ୍ଟୋର୍ରେ ଏଭଳି ୪ ଶହ ଆପ୍ ରହିଛି ବୋଲି ମେଟା ପକ୍ଷରୁ ସୂଚନା ଦିଆଯାଇଛି । ଇତିମଧ୍ୟରେ ପ୍ରାୟ ୧୦ ଲକ୍ଷ ଫେସ୍ବୁକ୍ ୟୁଜର୍ଙ୍କ ଲଗ୍ଇନ୍ କ୍ରେଡେନ୍ସିଆଲ୍ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି । ବିଶେଷତଃ ଫଟୋ ଏଡିଟର୍, ଗେମ୍, ଭିପିଏନ୍ ସର୍ଭିସ୍, ବିଜନେସ୍ ଓ ୟୁଟିଲିଟି ଆପ୍ଗୁଡ଼ିକରେ ଏପ୍ରକାର ବିଭ୍ରାଟ ଘଟିଛି ।