ବଳି ପରେ ୫୬ ଖଣ୍ଡ କରି ମହିଳାଙ୍କ ମାଂସ ଖାଇଥିଲେ ଦମ୍ପତି

ସୀମା ଟପିଲା ବର୍ବରତା
କୋଚି (ଏଜେନ୍ସି): କେରଳର ପଥନମ ଥିଟ୍ଟା ନରବଳୀ ଘଟଣା ଦେଶକୁ ଦୋହଲାଇ ଦେଇଛି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଶାଫି ଜଣେ ମାନସିକ ଓ ଯୌନ ବିକୃତ ଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ଶାଫି, ଭଗବଲ ସିଂହ ଓ ଭଗବଲଙ୍କ ପତ୍ନୀ ଲୈଲା ଗିରଫ ହେବା ପରେ ବହୁ ଲୋମହର୍ଷକ ଘଟଣା ପଦାକୁ ଆସିଛି । ଦୁଇ ମହିଳାଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦେଇ ବଳୀ ପକାଇଥିଲେ । ଦୁଇଜଣଙ୍କୁ ହତ୍ୟା କରିବା ପରେ ଜଣଙ୍କ ଶବ ଖଣ୍ଡଖଣ୍ଡ କରି କାଟି ରାନ୍ଧି ଖାଇବାକୁ ମଧ୍ୟ ପଛାଇ ନ ଥିଲେ । ଅନ୍ୟ ଶବକୁ ଅଭିଯୁକ୍ତ ଦମ୍ପତି ଓ ଏଜେଣ୍ଟ ମହମ୍ମଦ ୫୬ ଖଣ୍ଡ କରିଥିଲେ ବୋଲି ପୁଲିସ୍ କହିଛି ।
ଦୁଇ ମହିଳା ରୋଜାଲିନ ଓ ପି ପଦ୍ମାଙ୍କୁ ପ୍ରଥମେ ଦମ୍ପତି ଘର ମଧ୍ୟକୁ ନେଇ ବାନ୍ଧି ଦେଇଥିଲେ । ପରେ ଭୟଙ୍କର ନିର୍ଯାତନା ଦେଇ ତଣ୍ଟିଚିପି ହତ୍ୟା କରିଥିଳେ । ଦୁହିଙ୍କ ହାତଗୋଡ଼ ବାନ୍ଧି ଅଭିଯୁକ୍ତମାନେ ଜଣଙ୍କର ସ୍ତନ କାଟି ଦେଇଥିଲେ । ରକ୍ତ ବନ୍ଦ ହେବା ପର୍ଯ୍ୟନ୍ତ ତାଙ୍କୁ ସେଭଳି ଅବସ୍ଥାରେ ରଖାଯାଇଥିଲା । ଏହାପରେ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା ।
ମହିଳାଙ୍କ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଘର ନିକଟସ୍ଥ ୩ ଗାତରୁ ଉଦ୍ଧାର କରାଯାଇଛି । ଶାଫି ଯୌନ ବିକାରଗ୍ରସ୍ତ ଓ ମହିଳାମାନଙ୍କୁ ଫସାଇ ଭଗବଲ ଓ ଲୈଲାଙ୍କ ଘରକୁ ଆଣିଥିଲା । ୨୦୨୦ରେ ଶାଫି ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇ ଜେଲ ଯାଇଥିଲା । ଶାଫି ଦୁଇ ମହିଳାଙ୍କୁ ଅଶ୍ଳୀଳ ଫିଲ୍ମରେ ଅଭିନୟ କରାଇବାର ଲୋଭ ଦେଖାଇ ପ୍ରଭାବିତ କରିଥିଲା । ସେହି ସମୟରେ ସେ ସିଂହ ଦମ୍ପତିଙ୍କ ଆର୍ଥିକ ସମସ୍ୟା ଦୂର ପାଇଁ ନରବଳୀ ଦେବାକୁ ପ୍ରବର୍ତ୍ତାଇ ଥିଲା । ତା’ କଥାରେ ରାଜି ହୋଇ ଦୁଇ ମହିଳା ଟଙ୍କା ଲୋଭରେ ସିଂହ ଦମ୍ପତିଙ୍କ ଘରେ ପହଞ୍ଚିଥିଲେ । ସିଂହ ଦମ୍ପତି ଏହାର ଫାଇଦା ଉଠାଇ ଧନୀ ହେବା ଲୋଭରେ ସେମାନଙ୍କୁ ବଳି ଦେଇଥିଲେ ।
କୋଚି ପୁଲିସ୍ ମୁଖ୍ୟ ସିଏଚ୍ ନାଗାରାଜୁ କହିଛନ୍ତି, ଅଭିଯୁକ୍ତମାନେ ହତ୍ୟା ପରେ ଦୁଇ ମହିଳାଙ୍କ ଶରୀରର କିଛି ଅଂଶ ଖାଇ ଦେଇଥିବା ସନେ୍ଦହ କରାଯାଉଛି । ଅଧିକ ତଦନ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ । ଭଗବଲ ସିଂହ ଜଣେ ମ୍ୟାସେଜ ଥେରାପିଷ୍ଟ ଥିଲା । ସୋଶାଲ ମିଡିଆରେ ସେ ନିଜକୁ ସିପିଏମ୍ ସହ ଜଡ଼ିତ ଥିବା କହୁଥିଲା । ରୋସେଲିନ ଜୁନ ମାସରେ ଓ ପଦ୍ମା ସେପ୍ଟେମ୍ବର ମାସରେ ନିଖୋଜ ହୋଇଥିଲେ । ସେମାନଙ୍କୁ ଯଥାକ୍ରମେ ଜୁନ ୬ ଓ ସେପ୍ଟେମ୍ବର ୨୬ରେ ହତ୍ୟା କରାଯାଇଥିଲା । ପୁଲିସ୍ ପଦ୍ମାଙ୍କ ନିଖୋଜ ଘଟଣାର ତଦନ୍ତ କରୁଥିଲା । ଏହି ସମୟରେ ଶାଫି ନିକଟରେ ତାଙ୍କ ଫୋନ ଥିବା ଜଣାପଡ଼ିଥିଲା । ସିସିଟିଭି ଡଫୁଟେଜ୍ ଆଧାରରେ ପୁଲିସ୍ ତା’ ପାଖରେ ପହଞ୍ଚିଥିଲା । ଶାଫିକୁ ଜେରା କରାଯିବା ପରେ ସିଂହ ଦମ୍ପତି ଧରାପଡ଼ିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *