ମହଙ୍ଗାରୁ ତ୍ରାହି ନାହିଁ

ନୂଆଦିଲ୍ଲୀ, ୧୨ ।୧୦: ରିଜର୍ଭ ବ୍ୟାଙ୍କର ଶତ ଚେଷ୍ଟା ସତ୍ତ୍ୱେ ଖୁଚୁରା ମହଙ୍ଗା ହାର କମୁନାହିଁ । ଅଗଷ୍ଟରେ ଖୁଚୁରା ମହଙ୍ଗା ହାର ଥିଲା ୭ ପ୍ରତିଶତ, ସେପ୍ଟେମ୍ବରରେ ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହାକି ୫ ମାସରେ ସର୍ବାଧିକ । କ୍ରମାଗତ ୯ ମାସ ହେଲା ଏହା ରିଜର୍ଭ ବ୍ୟାଙ୍କ ଦ୍ୱାରା ଆକଳିତ ସୀମା (ଟଲରାନ୍ସ ଲେବଲ୍) ଉପରେ ରହିଆସିଛି । ଖୁଚୁରା ମହଙ୍ଗା ହାରର ଏହି ସଦ୍ୟ ସୂଚନା ରିଜର୍ଭ ବ୍ୟାଙ୍କ ଉପରେ ସୁଧ ହାର ବୃଦ୍ଧି ଚାପ ପକାଇପାରେ । ଚଳିତବର୍ଷ ଏପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ୪ ଥରରେ ରେପୋ ରେଟ୍ରେ ୧୯୦ ବେସ୍ ପଏଣ୍ଟ ବୃଦ୍ଧି କରିଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ବୁଧବାର ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଖାଦ୍ୟ ପାନୀୟ, ବିଶେଷକରି ପନିପରିବା ଦର ୧୮ ପ୍ରତିଶତ ବଢ଼ିବା ଯୋଗୁ ସେପ୍ଟେମ୍ବରରେ ଉପଭୋକ୍ତା ମୂଲ୍ୟ ଆଧାରିତ ମହଙ୍ଗା ହାର ୫ ମାସର ଶୀର୍ଷସ୍ତରକୁ ଯାଇଛି ।
ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ମହଙ୍ଗା ହାର ୬.୭ ପ୍ରତିଶତ ଭିତରେ ରହିବ ବୋଲି ଆକଳନ କରିଥିଲା । ଇତିମଧ୍ୟରେ ଦେଶର ଖାଦ୍ୟ ମୂଲ୍ୟ ସୂଚକାଙ୍କରେ ୮.୬ ପ୍ରତିଶତ ବୃଦ୍ଧି ହୋଇଛି । ଖାଦ୍ୟଶସ୍ୟର ମହଙ୍ଗା ହାର ଅଗଷ୍ଟରେ ଥିଲା ୭ ପ୍ରତିଶତ, ସେପ୍ଟେମ୍ବରରେ ୧୧.୫୩ ପ୍ରତିଶତ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ଏହା ଥିଲା ୪.୩୫ ପ୍ରତିଶତ । ଦେଶର ଔଦ୍ୟୋଗିକ ଉତ୍ପାଦନ (ଆଇଆଇପି) ଅଗଷ୍ଟରେ ୦.୮ ପ୍ରତିଶତ କମି ଥିଲା ।
ବୁଧବାର ଜାରି ହୋଇଥିବା ରିପୋର୍ଟରେ ଏହି କଥା ଦର୍ଶାଯାଇଛି । ସେଥିରେ କୁହାଯାଇଛି ଯେ ଗତବର୍ଷ ଅଗଷ୍ଟରେ ଆଇଆଇପିରେ ୧୩ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଥିଲା । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ଜାରି କରାଯାଇଥିବା ଆଇଆଇପି ଅନୁଯାୟୀ ଅଗଷ୍ଟ ୨୦୨୨ରେ ଉତ୍ପାଦନ (ମାନୁଫାକ୍ଚରିଂ) କ୍ଷେତ୍ରର ଉତ୍ପାଦନ ୦.୭ ପ୍ରତିଶତ କମିଛି । ସେହିପରି ଖନନ କ୍ଷେତ୍ରର ଉତ୍ପାଦନରେ ୩.୯ ପ୍ରତିଶତ କମିଛି । ତେବେ ବିଦୁ୍ୟତ୍ ଉତ୍ପାଦନରେ ୧.୪ ପ୍ରତିଶତ ବୃଦ୍ଧି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *