ଅଜଣା ରୋଗ: ୧୩ ଦିନରେ ୬ ମୃତ
ତେନ୍ତୁଳିଖୁଣ୍ଟି (ଆପ୍ର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ଖଣ୍ଡିଆଗୁଡା ଗ୍ରାମରେ ୧୩ ଦିନ ମଧ୍ୟରେ ୬ ଜଣଙ୍କ ମୃତୁ୍ୟ ହୋଇଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ବିଶେଷଙ୍କ ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ମଦ୍ୟପାନ ଜନିତ କାରଣରୁ ମୃତୁ୍ୟ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । କିନ୍ତୁ ଏଭଳି ଅଘଟଣ ପରେ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରାଯାଇ ନହିଁ । ଖଣ୍ଡିଆଗୁଡା ଗ୍ରାମରେ ଏକ ପ୍ରକାର ଶୋକର ବାତାବରଣ ଖେଳିଯାଇଛି । ଗ୍ରାମରେ ଏକ ବୈଠକ କରି ଦିଶାରି ଆଣି ଗାଁ ପୂଜା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ଖଣ୍ଡିଆଗୁଡା ଗ୍ରାମର ପରଜାସାହିରେ ୬୦ଟି ପରିବାର ବସବାସ କରନ୍ତି । ହେଲେ ଉକ୍ତ ସାହିର ୬ ଜଣଙ୍କ ମୃତୁ୍ୟ ଗତ ୧୩ ଦିନ ମଧ୍ୟରେ ହୋଇଛି । ଗତ ମାସରେ ପ୍ରଥମେ ଦାନାଇ ଯାନୀ (୪୨) ମୃତୁ୍ୟବରଣ କରିଥିଲେ ତାର କିଛିଦିନ ପରେ ଚନ୍ଦ୍ରମା ଯାନୀ (୬୬), ଚଳିତ ମାସ ୧ ତାରିଖ ଦିନ ଗୋରୀ ଯାନୀ (୪୮)ଙ୍କ ମୃତୁ୍ୟ ହୋଇଥିଲା । ସେହିପରି ଗତ ୫ ତାରିଖରେ କୁସମତି ଯାନୀ (୩୦), ୯ ତାରିଖରେ ସୋନୁ ଯାନୀ (୭୦) ଏବଂ ଆଜି ବୁଦାଇ ଯାନୀ(୬୫)ଙ୍କ ମୃତୁ୍ୟ ହୋଇଛି । ସମସ୍ତ ମୃତକମାନେ ଖଣ୍ଡିଆଗୁଡା ପରଜା ସାହିର ବୋଲି ଜଣାପଡିଛି । ୧୩ ଦିନ ମଧ୍ୟରେ ଗୋଟିଏ ସାହିର ୬ଜଣଙ୍କ ମୃତୁ୍ୟକୁ ନେଇ ସାହିରେ ଏକ ପ୍ରକାର ଭୟର ବାତାବରଣ ସମେତ ଶୋକର ଛାୟା ଖେଳିଯାଇଛି । ଦୁଇ ତିନି ଦିନ ବ୍ୟବଧାନ ମଧ୍ୟରେ ଏମିତି ଜଣଙ୍କ ପରେ ଜଣେ ମୃତୁ୍ୟବରଣ କରିବା ଘଟଣା ସାଧାରଣରେ ଚର୍ଚ୍ଚା ପାଲଟିଛି । ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ସମସ୍ତ ମୃତକ ଡାକ୍ତରଖାନା ଯାଇ ନ ଥିବା ଜଣାପଡିଛି । ଏହାକୁ ନେଇ ଗ୍ରାମରେ ଅନ୍ଧବିଶ୍ୱାସ ଭାବନା ଲୋକଙ୍କ ମନରେ ଆସୁଛି । ଗାଁରେ ଥିବା ଦେବୀ ଦେବତାଙ୍କ ପୂଜା ବିଧି ସଠିକ ରୂପେ ହେଉନଥିବା ଯୋଗୁଁ ଏଭଳି ଅବସ୍ଥା ଦେଖା ଦେଇଥିବା କୁହାଯାଉଛି । ଆଜି ଏନେଇ ଖଣ୍ଡିଆଗୁଡା ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଁ ଖରାପ ହେବା କାରଣରୁ ଏମିତି ଜଣଙ୍କ ପରେ ଜଣେ ମୃତୁ୍ୟବରଣ କରୁଥିବା ବୈଠକରେ ମତ ଉଠିଥିଲା । ଏଣୁ ଜଣେ ଭଲ ଦିଶାରୀ (ପୂଜାରୀ)ଙ୍କୁ ଆଣି ଗାଁରେ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ତେନ୍ତୁଳିଖୁଣ୍ଟି ପିଇଓ ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନା ବାବଦରେ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ ଟଭା ନାୟକ ଓ ସମିତି ସଭ୍ୟ ମଧୁସ୍ମିତା ପାଣିଗ୍ରାହୀ ।