ଶ୍ରୀମନ୍ଦିରରେ ବିଗୁଡ଼ୁଛି ଶୃଙ୍ଖଳା
ପୁରୀ (ବୁ୍ୟରୋ): କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ଆସି ଶ୍ରୀଜିଉଙ୍କ ଦର୍ଶନ କରି ଆନନ୍ଦବଜାରରେ ମହାପ୍ରସାଦ ସେବନ କଲେ ଅନେକ ଧର୍ମ ହୋଇଥାଏ ବୋଲି ପୁରାଣରେ ବିଶ୍ୱାସ ରହିଛି । ସେଥିପାଇଁ ଦିନକୁ ଦିନ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଏପରକି ଭୋର ଠାରୁ ଆରମ୍ଭ କରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ଼ରେ ରହୁଛି ଶ୍ରୀମନ୍ଦିର । ଏତେସଂଖ୍ୟକ ଭକ୍ତଙ୍କ ଆଗମନକୁ ଲକ୍ଷ୍ୟ କରି ପୁଲିସ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯାହାଫଳରେ ଶ୍ରୀମନ୍ଦିରରେ ପ୍ରତ୍ୟେକଦିନ ଏବେ ବିଶୃଙ୍ଖଳା ଦେଖିବାକୁ ମିଳୁଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ଓ ଅନ୍ୟ ତିନି ଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ଖୋଲାଖୋଲି ପ୍ରବେଶ ଉପରେ ଲଗାଇଲା କଟକଣା । ଫଳରେ ଏବେ ଶ୍ରୀମନ୍ଦିରକୁ ଏତେ ଭକ୍ତଙ୍କ ଆଗମନ ଦେଖି ସିଂହଦ୍ୱାର ଦେଇ ଧାଡ଼ିରେ ଯାଇ ଭକ୍ତମାନେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଏପରିକି ଭଲ ଭାବରେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି ।
ଏ ନେଇ ଜଣେ ଭକ୍ତ କୁହନ୍ତି ଯେ, ମୁଁ ମୋ ପରିବାର ଲୋକ କାର୍ତ୍ତିକ ମାସରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବୁ ଏବଂ ଆନନ୍ଦବଜାରରେ ମହାପ୍ରସାଦ ପାଇ ଘରକୁ ଯିବୁ । ହେଲେ ବୁଧବାର ଶ୍ରୀମନ୍ଦିର ସାତପାହାଚ ଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ଗର୍ଭଗୃହରେ ଏଭଳି ଭିଡ଼ ଲାଗି ରହିଥିଲା ଯେ, ଶାନ୍ତିରେ ଭଗବାନଙ୍କୁ ଦର୍ଶନ କରିପାରୁଲୁନି । ଠାକୁରଙ୍କ ନିକଟରେ ପହଞ୍ଚିବାକୁ ହେଲେ ତୁମକୁ ଠେଲାଠେଲି ହୋଇ ଯିବାକୁ ପଡୁଛି । ଶ୍ରୀମନ୍ଦିରରେ ଭକ୍ତମାନେ ଯେପରି ସୁବିଧାରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିବେ ତାହା ପ୍ରଶାସନର କାର୍ଯ୍ୟ । ହେଲେ ପ୍ରଶାସନ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିଲେ ହେଁ ତାହା କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହିଁ । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ପ୍ରଶାସନର ଅବହେଳା ଯୋଗୁଁ ଶ୍ରୀମନ୍ଦିରରେ ବିଗୁଡ଼ୁଛି ଶୃଙ୍ଖଳା ।
ଅନ୍ୟପଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିହଜାର ହବିଷ୍ୟାଳୀଙ୍କୁ ପୁରୀରେ ମାଗଣାରେ ରହିବା ଠାରୁ ଆରମ୍ଭକରି ଖାଦ୍ୟ ସମେତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । ତତ୍ସହିତ ସେମାନେ କିପରି ମାସକ ଯାଏଁ ଭଲରେ ଶ୍ରୀମନ୍ଦିରକୁ ଯାଇ ମହାପଭୁଙ୍କୁ ଦର୍ଶନ କରିବେ ତାହାର ବ୍ୟବସ୍ଥା କରିବା ତାହା ପ୍ରଶାସନର କାର୍ଯ୍ୟ । ହେଲେ ଶ୍ରୀମନ୍ଦିରରେ ଏତେ ଗହଳି ଭିତରେ ଭକ୍ତମାନେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଫଳରେ ସେହି ଭିଡ଼ରେ ବରିଷ୍ଠ ଲୋକଙ୍କ ଠାରୁ ଆରମ୍ଭ କରି ହବିଷ୍ୟାଳୀ ଓ ଭକ୍ତମାନେ ଅଣାୟତ ହେଉଛନ୍ତି । ତେବେ ଶ୍ରୀମନ୍ଦିରରେ କେବେ ଶୃଙ୍ଖଳାରେ ଭକ୍ତମାନେ ଦର୍ଶନ ପାଉଛନ୍ତି ତାହା ଉପରେ ନଜର ।