ଅଷ୍ଟ୍ରେଲିଆ ଯିବେ ସିରାଜ, ଶାମୀ ଓ ଶାର୍ଦ୍ଦୂଳ
ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ଦୀପକ
ମୁମ୍ବାଇ, ୧୨ା୧୦ (ଏଜେନ୍ସି): ଆଉ କିଛି ଦିନ ପରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯିବ ଟି-୨୦ ବିଶ୍ୱକପ୍ । ସମସ୍ତ ଟିମ୍ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ଟିମ୍ ଯଥେଷ୍ଟ ଆଗରୁ ପର୍ଥରେ ପହଞ୍ଚି ଅଭ୍ୟାସ ଚଳାଇଛି । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ତିନିଟି ଝଟ୍କା ଲାଗିଛି । ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ପୂର୍ବରୁହିଁ ଆଘାତଜନିତ କାରଣରୁ ବିଶ୍ୱକପ୍ରୁ ବାଦ୍ ପଡ଼ିସାରିଛି । ଏବେ ଷ୍ଟାଣ୍ଡ୍ବାଇ ଭାବେ ଟିମ୍ରେ ଥିବା ଦ୍ରୁତ ବୋଲର୍ ଦୀପକ ଚାହର ପିଠି ଯନ୍ତ୍ରଣା ଯୋଗୁଁ ଟିମ୍ରୁ ବାଦ୍ ପଡ଼ିଛନ୍ତି ।
ବିସିସିଆଇ ଏ ଯାବତ୍ ବୁମ୍ରାଙ୍କ ରିପ୍ଲେସ୍ମେଣ୍ଟର ଘୋଷଣା କରି ନ ଥିବା ବେଳେ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି । ତଦନୁଯାୟୀ ତିନି ଜଣ ଦ୍ରୁତ ବୋଲର୍ ମହମ୍ମଦ ଶାମୀ, ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁର ଖୁବ୍ଶୀଘ୍ର ସମ୍ଭବତଃ ଗୁରୁବାର ଅଷ୍ଟ୍ରେଲିଆ ଗସ୍ତ କରି ଟିମ୍ ସହ ଯୋଗ ଦେବେ । ସେମାନଙ୍କୁ ମଧ୍ୟରୁ କେବଳ ଶାମୀ ଷ୍ଟାଣ୍ଡ୍ବାଇ ତାଲିକାରେ ଥିଲେ । ଦୀପକ ଆହତ ହେବା ଯୋଗୁଁ ଶାର୍ଦ୍ଦୂଳଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ, ସିରାଜ୍ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଡେଥ୍ ଓଭର୍ସରେ ଭଲ ବୋଲିଂ ପ୍ରଦର୍ଶନର ପୁରସ୍କାର ମିଳିଛି ।
ବିଶ୍ୱକପ୍ ଷ୍ଟାଣ୍ଡ୍ବାଇ ତାଲିକାରେ ଶାମୀଙ୍କ ଛଡ଼ା ଦୀପକ, ଶ୍ରେୟାସ ଆୟର ଓ ରବି ବିଷ୍ଣୋଇ ସାମିଲ୍ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ଶାମୀ ଅଷ୍ଟ୍ରେଲିଆ ଯାଉଛନ୍ତି । ଦୀପକଙ୍କୁ ଛାଡ଼ିଦେଲେ, ଅନ୍ୟ ଦୁଇଜଣଙ୍କ ବିଷୟରେ କୌଣସି ଅପଡେଟ୍ ନାହିଁ ।
ଶାମୀ, ସିରାଜ ଓ ଶାର୍ଦ୍ଦୂଳ ଆସନ୍ତା ୧୭ ଓ ୧୯ରେ ହେବାକୁ ଥିବା ଦୁଇଟି ଅଭ୍ୟାସ ମ୍ୟାଚ୍ରେ ଖେଳିପାରନ୍ତି । ଶାମୀଙ୍କ ପାଇଁ ଏହି ଦୁଇଟି ୱାର୍ମଅପ୍ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ଦୀର୍ଘ ଦିନ ହେଲା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି । ଶାମୀଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଟିମ୍ରେ ସାମିଲ୍ କରାଯାଇଥିଲା । କିନ୍ତୁ କରୋନା ସଂକ୍ରମିତ ହେବା ଯୋଗୁଁ ସେ ଖେଳିପାରି ନ ଥିଲେ ।