କମିବ ଅଭିବୃଦ୍ଧି

ଆଇଏମ୍ଏଫ୍ର ସାନି ଆକଳନ
ନୂଆଦିଲ୍ଲୀ, ୧୧ା୧୦: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୨ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ସମ୍ବନ୍ଧୀୟ ପୂର୍ବ ଆକଳନକୁ କମାଇ ୬.୮ ପ୍ରତିଶତ କରିଛି । ୨୦୨୨ ପାଇଁ ଅଭିବୃଦ୍ଧି ହାର ଆକଳନ କମାଇବା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ସବୁ ଦେଶ ତୁଳନାରେ ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଇବ ଏବଂ ୨୦୨୩ରେ ଭାରତର ଅର୍ଥ ବ୍ୟବସ୍ଥା ୬.୧ ପ୍ରତିଶତ ହାରରେ ବଢିବ ବୋଲି ଆଇଏମ୍ଏଫ୍ର ବାର୍ଷିକ ଅର୍ଥନୈତିକ ଦୃଷ୍ଟିକୋଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ରେ ଭାରତର ଜିଡିପି ବୃଦ୍ଧି ହାର ଥିଲା ୮.୭ ପ୍ରତିଶତ ।
ମଙ୍ଗଳବାର ଜାରି ହୋଇଥିବା ଏହି ରିପୋର୍ଟ ଅନୁଯାୟୀ, ପୃଥିବୀର ଅନ୍ୟତମ ବଡ ଅର୍ଥବ୍ୟବସ୍ଥା ଚୀନ୍ର ଅଭିବୃଦ୍ଧି ହାର ୩.୨ପ୍ରତିଶତରେ ସୀମିତ ରହିବ । ୨୦୨୧ରେ ଚୀନ୍ର ଜିଡିପି ଗ୍ରୋଥ୍ ଥିଲା ୮.୧ ପ୍ରତିଶତ । ଚଳିତ ବର୍ଷ ବୈଶ୍ୱିକ ମୁଦ୍ରାସ୍ଫୀତି ୯.୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚôବା ପରେ ତଳକୁ ଖସିବା ଆରମ୍ଭ କରିବ ଏବଂ ୨୦୦୪ ସୁଦ୍ଧା ଏହା ୪.୧ ପ୍ରତିଶତ ହୋଇଯିବ । ପୃଥିବୀର ଏକ-ତୃତୀୟାଂଶରୁ ଅଧିକ ଦେଶର ଅର୍ଥ ବ୍ୟବସ୍ଥା ସଙ୍କୁଚିତ ହେବ । ୨୦୨୩ରେ ବିଶ୍ୱ ଅର୍ଥବ୍ୟବସ୍ଥା ୨.୭% ହେବ ଯାହାକି ୨୦୦୧ ପରଠାରୁ ସର୍ବାଧିକ ଦୁର୍ବଳ ଅଭିବୃଦ୍ଧି ବୋଲି ରିପୋର୍ଟରେ କୁହାଯାଇଛି ।
ଏହା ପୂର୍ବରୁ ଜୁଲାଇରେ ଆଇଏମ୍ଏଫ୍ ଆକଳନ କରି କହିଥିଲା ୨୦୨୨ରେ ଭାରତର ଜିଡିପି ବୃଦ୍ଧି ହାର ୭.୪ ପ୍ରତିଶତ ହେବ । କିନ୍ତୁ ଦ୍ୱିତୀୟ ତ୍ରିମାସରେ ଉତ୍ପାଦନ ଆଶାନୁରୂପ ନହେବା ଓ ଦୁର୍ବଳ ଚାହିଦା କାରଣରୁ ଆଇଏମ୍ଏଫ୍ ଏବେ ଜିଡିପି ବୃଦ୍ଧି ହାର ଆକଳନ କମାଇ ଦେଇଛି ।
ବିଶ୍ୱବ୍ୟାଙ୍କ ମଧ୍ୟ ୨୦୨୨-୨୩ ପାଇଁ ଭାରତର ଅଭିବୃଦ୍ଧି ହାର ଆକଳନକୁ ଏକ ପ୍ରତିଶତ କମାଇ ୬.୫ ପ୍ରତିଶତ କରିଛି । ତେବେ ବିଶ୍ୱବ୍ୟାଙ୍କର ଦକ୍ଷିଣ ଏସିଆ ପାଇଁ ନିଯୁକ୍ତ ମୁଖ୍ୟ ଅର୍ଥନୀତିଜ୍ଞ ହାନ୍ସ ଟିମ୍ମର କହିଛନ୍ତି ଦକ୍ଷିଣ ଏସିଆର ଅନ୍ୟ ଅର୍ଥବ୍ୟବସ୍ଥା ତୁଳନାରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ମହଜୁଦ ଅଛି । ଆର୍ଥିକ ସଙ୍କଟ ଉପୁଜିଲେ ତାହା ବେଶ୍ ସହାୟକ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *