ଜୋର୍ ଧରୁଛି ଧାମନଗର ଲଢ଼େଇ
ଭୁବନେଶ୍ୱର/ଭଦ୍ରକ (ବୁ୍ୟରୋ/ଆପ୍ର): ଧାମନଗର ବିଧାନସଭା ଆସନରେ ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ହେଲେ ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଛକାପଞ୍ଝା ଜାରି ରହିଛି । ନାମାଙ୍କନ ଦାଖଲ କରିବାକୁ ଆଉ ମାତ୍ର ହାତରେ ୨ ଦିନ ଥିବାବେଳେ ଏଯାବତ୍ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାଁନ୍ତି । ମାସେବ୍ୟାପୀ ଚାଲିବାକୁ ଥିବା ଜନସମ୍ପର୍କ ପଦଯାତ୍ରା ମଧ୍ୟମରେ ବିଜେଡି ପକ୍ଷରୁ ଏକ ପ୍ରକାର ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି ସତ କିନ୍ତୁ ଧାମନଗରର ମଙ୍ଗୁଆଳ କିଏ ହେବ ସେନେଇ ନିଷ୍କର୍ସ ପ୍ରକାଶ ପାଇନି । ବୁଧବାର ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଚର୍ଚ୍ଚା ହେଉଛି । ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ଭରିବା ସହ ଗାଁ ଗାଁ ବୁଲି ପିତାଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ଆଗକୁ ନେବା ପାଇଁ କ୍ୟାମ୍ପେନ କରୁଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି କ୍ୟାମ୍ପେନର ନେତୃତ୍ୱ ନେଇଥିବା ନଜରକୁ ଆସିଛି ।
ଧାମନଗର ଉପନିର୍ବାଚନର ଋଣନୀତି ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ତୃଣମୂଳ ସ୍ତରର ନେତାଙ୍କ ସହ ଦଳର ବୈଠକ ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ଧାମନଗରରେ ଲଢ଼େଇ ଜୋରଦାର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ଲୋକଙ୍କ ପାଇଁ କାମ କରୁଛି । ସଦା ସର୍ବଦା ଲୋକଙ୍କ ସମସ୍ୟାକୁ ଦୃଷ୍ଟି ଦିଆଯାଇଛି । ଜନସାଧାରଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅତୁଟ ଭରସା ରହିଛି । ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିଲେ ବି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାହାଙ୍କୁ ପ୍ରାର୍ଥୀ କରିବେ ସେ ହିଁ ଜିତିବେ । ଗତ ଦଶନ୍ଧିରେ ବିଜେଡିର ଉପନିର୍ବାଚନ ଜିତିବାରେ ଅପରାଜେୟ ରହିଛି । ଚଳିତଥର ମଧ୍ୟ ବିଜେଡି ବାଜିମାତ କରିବ ବୋଲି ଶ୍ରୀ ମିଶ୍ର ଦୃଢ଼େକ୍ତି ପ୍ରକାଶ କରିଛନ୍ତି ।
କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଘନ ଘନ ବୈଠକ ଚାଲିଛି । ଦିଲ୍ଲୀରୁ ନାମ ବଛା ପରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସନ୍ଧ୍ୟା ସୁଦ୍ଧା ଏନେଇ କିଛି ବି ସୂଚନା ମିଳିପାରିନାହିଁ ।
ଏକ ନିରାଡମ୍ବର ଶୋଭାଯାତ୍ରାରେ ଦଳୀୟ ନେତାମାନଙ୍କ ଗହଣରେ ସୂର୍ଯ୍ୟବଂଶୀ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଅତିରିକ୍ତ ଉପ ଜିଲ୍ଳାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଲକ୍ଷ୍ମୀପ୍ରସାଦ ସାହୁଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ପୂର୍ବରୁ ଶ୍ରୀ ସୁରଜ ପୈତୃକଗ୍ରାମ ତିହିଡ଼ି ମଙ୍ଗରାଜପୁର ଯାଇ ପିତାଙ୍କର ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଭଦ୍ରକର କୁଆଁସସ୍ଥିତ ବାସଭବନରେ ସେ ପିତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ନାମାଙ୍କନ କରିବା ପାଇଁ ଶୋଭାଯାତ୍ରାରେ ଯାଇଥିଲେ । ମନୋନୟନ ବେଳେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ମୋହନ ମାଝୀ, କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ପ୍ରମୁଖଙ୍କ ସମେତ ରାଜ୍ୟ ଓ ଜିଲ୍ଳାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନାମାଙ୍କନ ପୂର୍ବରୁ ମଠସାହି ରାଜଘାଟଠାରେ ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।