ଟି-୨ଠ ପରେ ଦିନିକିଆ ଶୃଙ୍ଖଳା କବ୍ଜା
୧୨ ବର୍ଷ ପରେ ଭାରତ ମାଟିରେ ଦିନିକିଆ ଶୃଙ୍ଖଳା ହାରିଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ, ୧୧ା୧୦ (ଏଜେନ୍ସି): ଟି-୨୦ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳାକୁ ମଧ୍ୟ ୨-୧ରେ କବ୍ଜା କରିଛି ଟିମ୍ ଇଣ୍ଡିଆ । ୧୨ ବର୍ଷ ପରେ ଭାରତୀୟ ଟିମ୍ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ଶୃଙ୍ଖଳାରେ ମାତ୍ ଦେଇଛି । ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବଙ୍କ ଯାଦୁକରୀ ସ୍ପିନ୍ ସହାୟତାରେ ଆୟୋଜକ ଟିମ୍ ମଙ୍ଗଳବାର ତୃତୀୟ ତଥା ଶେଷ ମ୍ୟାଚ୍ରେ ୭ ୱିକେଟ୍ରେ ସହଜ ବିଜୟ ହାସଲ କରିଛି ।
ଏହି ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାର ‘ପୂର୍ଣ୍ଣ-ସାମର୍ଥ୍ୟ’ ଟିମ୍ ସହ ଭାରତର ‘ବି’ ଟିମ୍ ଖେଳିଥିଲା; ଅଥଚ ଆୟୋଜକ ଟିମ୍ ‘ଏ’ କ୍ଲାସ୍ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛି । ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ କ୍ରମାଗତ ଦୁଇଟି ମ୍ୟାଚ୍ ଜିତିଥିଲା । କୁଲଦୀପ ଯାଦବ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ମହମ୍ମଦ ସିରାଜ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
ଚାରି ଦିନ ଧରି ବର୍ଷା ହେଉଥିଲା । ଫଳରେ ମଙ୍ଗଳବାର ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିବାରୁ ବେଶୀ ଦର୍ଶକ ଉପସ୍ଥିତ ନ ଥିଲେ । ନିର୍ଣ୍ଣାୟକ ଦିନିକିଆରେ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ର ଆର୍ଦ୍ର ପିଚ୍ରେ ଦକ୍ଷିଣ ଆଫ୍ରିକୀୟ ଟିମ୍ ମାତ୍ର ୨୭.୧ ଓଭର୍ରେ ୯୯ ରନ୍ କରି ଧରାଶାୟୀ ହୋଇଥିଲା । ଜବାବରେ ଭାରତୀୟ ଟିମ୍ ୧୯.୧ ଓଭର୍ରେ ୩ ୱିକେଟ୍ ହରାଇ ୧୦୫ ରନ୍ ବିଜୟୀ ହୋଇଥିଲା ।
ଶିଖର ଧାବନ୍ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ୪୨ ରନ୍ ଯୋଗ କରିଥିଲା । ତେବେ ଭେଟେରାନ୍ ଧାବନ୍ କ୍ରମାଗତ ତୃତୀୟ ମ୍ୟାଚ୍ରେ ବିଫଳ ହୋଇଥିଲେ । ତିନିଟିଯାକ ମ୍ୟାଚ୍ରେ ତାଙ୍କ ସ୍କୋର୍ ଯଥାକ୍ରମେ ୪, ୧୩ ଓ ୮ ରହିଥିଲା । ସପ୍ତମ ଓଭର୍ରେ ସେ ରନ୍ଆଉଟ୍ ହୋଇଯାଇଥିଲେ ।
ପରବର୍ତ୍ତୀ ବ୍ୟାଟର୍ ଈଶାନ କିଶନ୍ ମାତ୍ର ୧୦ ରନ୍ କରି ବିଜର୍ନ ଫର୍ଚୁନ୍ଙ୍କ ଶିକାର ହଗୋଇଥିଲେ । ଗିଲ୍ ଏହାପରେ ଶ୍ରେୟାସ ଆୟରଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳର ନିକଟରେ ପହଞ୍ଚାଇଥିଲେ । ଗିଲ୍ (୪୯) ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କ ୱିକେଟ୍ ଲୁଙ୍ଗି ଏନ୍ଗିଡ଼ିଙ୍କ ଖାତାକୁ ଯାଇଥିଲା ।
ଶ୍ରେୟାସ ଏକ ଛକା ମାରି ମ୍ୟାଚ୍ ଫିନିଶ୍ କରିଥିଲେ । ସେ ୨୩ ବଲ୍ରୁ ୨୮ ଓ ସଞ୍ଜୁ ସାମ୍ସନ୍ ୨ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଧାବନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଏକାଦଶ ଅପରିବର୍ତ୍ତିତ ରହିଥିଲା । ଅନ୍ୟପଟେ, କ୍ରମାଗତ ତୃତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ବଦଳିଥିଲେ । ପ୍ରଥମେ ଟେମ୍ବା ବାଭୁମା, ଏହାପରେ କେଶବ ମହାରାଜ ଓ ଏଥର ଡେଭିଡ୍ ମିଲର୍ ଟିମ୍ର ନେତୃତ୍ୱ ନେଇଥିଲେ । କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ବି ବାଭୁମା ଖେଳି ନ ଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଟିମ୍ର ମାତ୍ର ତିନି ଜଣ ବ୍ୟାଟର୍ – ହେନରିଚ୍ କ୍ଲାସେନ୍ (୩୪), ଓପନର୍ ଜାନ୍ନେମନ ମଲାନ୍ (୧୫) ଓ ମାର୍କୋ ଜେନ୍ସନ୍ (୧୪) ଦୁଇ ଅଙ୍କ ଛୁଇଁପାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିନାୟକ ମିଲର୍ ୭, ଅନ୍ୟତମ ଓପନର୍ କୁଇଣ୍ଟନ୍ ଡି’କକ୍ ୬, ଏଡେନ୍ ମାର୍କରମ୍ ୯, ରୀଜା ହେନ୍ଡ୍ରିକ୍ସ ୩ ରନ୍ କରିଥିଲେ ।
ମାତ୍ର ୭ ରନ୍ରେ ଡି’କକ୍ଙ୍କ ୱିକେଟ୍ ସହିତ ଓପନିଂ ଯୋଡ଼ି ଭାଙ୍ଗିଥିଲା । ୬୬ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ନିମ୍ନକ୍ରମର ଚାରିଟିଯାକ ୱିକେଟ୍ କୁଲଦୀପ ନେଇଥିଲେ ।
ଭାରତ ପକ୍ଷରୁ କୁଲଦୀପ ୪.୧ ଓଭର୍ରେ ୧୮ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ ଓ ଶାହବାଜ ଅହମ୍ମଦ ୨ ଲେଖାଏଁ ୱିକେଟ୍ ନେଇଥିଲେ ।