ଭୂମିହୀନଙ୍କୁ ଘରଡିହ ପଟ୍ଟା ଯୋଗାଇବାକୁ ଦାବି
ବଡ଼ଚଣା (ଆପ୍ର): ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନ ବିଭିନ୍ନ ଗାଁରେ ଦୀର୍ଘ ବର୍ଷ ଧରି ବାସ କରି ଆସୁଥିବା ଭୂମିହୀନଙ୍କୁ ଅଦ୍ୟାବଧି ଘରଡିହ ଜମିପଟ୍ଟା ପ୍ରଦାନ କରାଯାଇ ନାହିଁ । ଇତି ମଧ୍ୟରେ ଉକ୍ତ ତହସିଲର କେତେକ ଗାଁରେ ମାତ୍ର କିଛି ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲେ ମଧ୍ୟ ହଜାର ହଜାର ଭୂମିଶୂନ୍ୟ ଅଧିବାସୀ ଘରଡିହ ପଟ୍ଟା ପାଇଁ ଆବେଦନ କରି ଉପେକ୍ଷିତ ହୋଇଛନ୍ତି । ଏହାକୁ ଭିତ୍ତି କରି ଦର୍ପଣ ତହସିଲ ଅଧୀନ ୧୫ ଗାଁର ଶତାଧିକ ଭୂମିହୀନ ତହସିଲଦାରଙ୍କୁ ଭେଟି ସେମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।
ତହସିଲ ଅଧୀନ ବନ୍ତଳା, ସୁଙ୍ଗୁଡା, ବାତୋ, ବୈରୀ, ଠେଙ୍ଗଡ, ଛତିଆ, ପାରିହା, ଦଳେଇସାହି, ବାଘୁଆ, ତେଲିଗଡ, ରାଇସୁଙ୍ଗୁଡା, ଖଇରା ଓ ଗୁଣ୍ଠୁଣି ଆଦି ୧୫ଟି ଗାଁର ଭୁମିହୀନ ଅଧିବାସୀ ଦୀର୍ଘ ଦିନହେବ ତହସିଲରେ ଆବେଦନ କରି ନିରାଶ ହୋଇଥିବା ଦାବିପତ୍ରରେ ଉଲେଖ କରିଛନ୍ତି । ଘରଡିହ ପଟ୍ଟା ନଥିବାରୁ ସେମାନେ ବାସସ୍ଥାନ, ଜାତିଗତ ଠାରୁ ଆରମ୍ଭ କରି ଅନେକ ପ୍ରକାର ପ୍ରମାଣପତ୍ର ପାଇବାରୁ ବଞ୍ଚôତ ହୋଇଥିବା ଦର୍ଶାଇଛନ୍ତି । ଏହାକୁ ଭିତ୍ତି କରି ଗତବର୍ଷ ନଭେମ୍ବର ୧୦ରେ ତହସିଲ ଆଗରେ ଧାରଣା ଦେଇଥିବା ବେଳେ ସେ ସମୟରେ କର୍ତ୍ତୃପକ୍ଷ ତୁରନ୍ତ ପଟ୍ଟା ପ୍ରଦାନ କରାଯିବ ବୋଲି କହିଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସମାଜସେବୀ ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଭୁମିହୀନ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।