ଘରେ ବନ୍ଧୁକ କାରଖାନା
ବୌଦ୍ଧ, ୧୧ା୧ଠ(ଆପ୍ର): ସ୍ଥାନୀୟ କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ାରେ ଘରେ ଚାଲିଥିଲା ବନ୍ଧୁକ କାରଖାନା । ପ୍ରସ୍ତୁତ ହେଉଥିଲା ଛୋଟବଡ଼ ବିଭିନ୍ନ ସାଇଜ୍ର ବନ୍ଧୁକ । ଏ ସବୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ଗୋଇନ୍ଦା ସୂତ୍ରରୁ ଖବର ପାଇ ସୋମବାର ବିଳମ୍ବିତ ରାତିରେ ପୁଲିସ ଅତର୍କିତ ଚଢ଼ାଉ କରି ଉକ୍ତ କାରଖାନା ଠାବ କରିବା ସହ ବନ୍ଧୁକଗୁଡ଼ିକୁ ଜବତ କରିଛି । ବନ୍ଧୁକ କାରଖାନା ମାଲିକ ତଥା କାରିଗର ସିଲାଇପଡ଼ା ଗ୍ରାମର ଶେଷଦେବ ବିନ୍ଧାଣିକୁ ଗିରଫ କରାଯାଇ ଜେରା ଚାଲିଛି ।
ବିପୁଳ ସଂଖ୍ୟକ ଦେଶୀ ବନ୍ଧୁକ ଜବତ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବିଳମ୍ବିତ ରାତିରେ ମନମୁଣ୍ଡା ପୁଲିସ୍ ସିଲାଇପଡ଼ା ଗାଁରେ ଚଢ଼ାଉ କରିଥିଲା । ଏକ ଘରୁ ଏକାଧିକ ବନ୍ଧୁକ ସହିତ କାରିଗର ଶେଷଦେବ ବିନ୍ଧାଣିକୁ ଧରି ପଚରାଉଚରା କରିଛି । ସେ କାରଖାନା ମାଲିକ ବୋଲି କୁହାଯାଉଛି । ଉକ୍ତ କାରଖାନାରୁ ୨ ପିସ୍ତଲ୍ ଓ ୪ ବନ୍ଧୁକ ଜବତ ହୋଇଛି । ଏଥିସହିତ କଟର୍, ଡ୍ରିଲ ମେସିନ୍, ବନ୍ଧୁକ ତିଆରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ସେ କାଠ ଓ ଲୁହାକୁ ବ୍ୟବହାର କରି ଦେଶୀ ବନ୍ଧୁକ ତିଅ ।ରି କରୁଥିଲା । ହେଲେ ବନ୍ଧୁକ ତିଆରି ପରେ କାହାକୁ ବିକ୍ରି ହେଉଥିଲା, କିଏ ଏହାପଛରେ ରହିଛି ସେ ସବୁ ଦିଗରେ ପୁଲିସ ଖୋଳତାଡ଼ କରୁଛି । ତେଣୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଆଲୋଚନା ହେଉଛି ।