ବଢିଲା ବାତ୍ୟା ଆଶଙ୍କା
ଭୁବନେଶ୍ୱର, ୧୦ା୧୦ (ବୁ୍ୟରୋ): ଅକ୍ଟୋବରର ୧୦ ଦିନ ବିତିଥିଲେ ମଧ୍ୟ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସକ୍ରିୟ ରହିଛି । ନିକଟରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ଆଉ ଏକ ବଳୟ ସୃଷ୍ଟି ହେବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏସବୁ ଭିତରେ ମାସର ଶେଷ ସପ୍ତାହକୁ ଏକ ବାତ୍ୟା ହେବା ସମ୍ଭାବନା ପ୍ରକାଶ ପାଇଛି ।
ଆମେରିକା ପାଣିପାଗ ବିଭାଗ ଟ୍ରପିକାଲ୍ ଟିଡବିଟସ୍ର ଏକ ପାଣିପାଗ ମଡେଲ୍ ଏନେଇ ସୂଚନା ଦେଇଛି । ଆସନ୍ତା ୨୧ ତାରିଖ ବେଳକୁ ଆଣ୍ଡାମାନ ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ଏବଂ ଏହା ଉତ୍ତର-ଆନ୍ଧ୍ର କିମ୍ବା ଦକ୍ଷିଣ ଓଡ଼ିଶା ମୁହାଁଇବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି ।
ପାଣିପାଗ ମଡେଲ୍ରୁ ସ୍ପଷ୍ଟ ହୋଇଛି ଯେ, ଅକ୍ଟୋବର ୨୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ର ଉପରେ ଏହା ୩ ଦିନ ରହିବା ପରେ ଅଧିକ ବଳ ସାଉଣ୍ଟିବ । ଏହା ବେଶ୍ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାବେଳେ ୨୧ ତାରିଖ ବେଳକୁ ଏହାର କେନ୍ଦ୍ରସ୍ଥଳରେ ବାୟୁର ଚାପ ୧୦୦୩ ମିଲିବା ରହିଥିବ । ତେବେ ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ୯୮୭ ମିଲିବାକୁ ଖସିଆସିବ । ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟା ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରୁଛି । ଲଘୁଚାପର ଗତିପଥ ଅନୁସାରେ ଏହା ଉତ୍ତର ଆନ୍ଧ୍ରରେ ମାଡ଼ ହେବା ଆକଳନ କରାଯାଉଛି, କିନ୍ତୁ ଗତିପଥରେ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ ହେବ । ଏବେ ସମୁଦ୍ର ଜଳପତ୍ତନର ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ରହୁଥିବାରୁ ବାତ୍ୟା ସୃଷ୍ଟି ପାଇଁ ଏଭଳି ପାଗ ବେଶ୍ ଅନୁକୂଳ ହେବ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ୨୧ ତାରିଖ ପୂର୍ବରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ ତାରିଖ ଭିତରେ ଏହା ସୃଷ୍ଟି ହୋଇପାରେ । ଏହା ମଧ୍ୟ ପଶ୍ଚିମ ଓ ଉତ୍ତର-ପଶ୍ଚିମ ହୋଇ ଆନ୍ଧ୍ର ଉପକୂଳକୁ ଗତି କରିବ ବୋଲି ଆକଳନ କରାଯାଉଛି । ସେପଟେ ରାଜ୍ୟରେ ଆଉ ୨ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି । ଆସନ୍ତାକାଲି ଓ ବୁଧବାର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜକୁ ୱାର୍ଣ୍ଣିଂ ରହିଛି । ସେହିପରି ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଖୋର୍ଦ୍ଧାକୁ ୱାର୍ଣ୍ଣିଂ ରହିଛି ।
ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଛି । ରାଜ୍ୟରୁ ଏପର୍ଯ୍ୟନ୍ତ ମୌସୁମୀ ଅପସାରଣ କରିନାହିଁ । ବର୍ଷା ଲାଗି ରହୁଥିବାରୁ ମୌସୁମୀ କେବେ ଫେରିବ, ସେ ନେଇ ଆକଳନ ହୋଇପାରି ନାହିଁ । ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ଚଳିତ ଅକ୍ଟୋବରରେ ଏପର୍ଯ୍ୟନ୍ତ ୭୯ ଦଶମିକ ୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% ଅଧକ ଥିବା ଜଣାପଡ଼ିଛି ।
