‘ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ’
ପୁରୀରେ ହବିଷ୍ୟାଳୀ ମା’ଙ୍କ କାର୍ତ୍ତିକ ବ୍ରତ ଆରମ୍ଭ
ଭୁବନେଶ୍ୱର/ପୁରୀ (ବୁ୍ୟରୋ): ପୁରୀରେ ହବିଷ୍ୟାଳି ମା’ଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ହବିଷ୍ୟାଳି ମା’ଙ୍କ ପାଇଁ “ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା’ଙ୍କୁ ଏହି ଅବସରରେ ସ୍ୱାଗତ କରିବା ସହ ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍ ଉପହାର ଦେବାକୁ ଘୋଷଣା କରିଛନ୍ତି । ମା’ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ । ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଅଭିଭାଷଣ ରଖି କହିଥିଲେ, ମୁଖ୍ୟମନ୍ତ୍ରୀ ସର୍ବଦା ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା’ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍ଘାଟନ କରିଥିବା କହିଛନ୍ତି । ଏହି ଅବସରରେ ୩ ହବିଷ୍ୟାଳି ମା’ ମତବ୍ୟକ୍ତ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି । ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀଙ୍କୁ କୋଟିଏ ପରମାୟୁ ଦିଅନ୍ତୁ ବୋଲି କହି ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନା ରାଣୀ ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଶିବିର ଖୋଲାଯାଇଛି । ୩ ହଜାର ହବିଷ୍ୟାଳି ରହିବା ପାଇଁ ୫ ସ୍ଥାନରେ ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମର ଶିବିରର ଉଦଘାଟନ କରିଛନ୍ତି । ଗତ ଦୁଇ ବର୍ଷ ହେବ କୋରୋନା ମହାମାରୀ ଯୋଗୁଁ ହବିଷ୍ୟାଳି ଶିବିର ବନ୍ଦ ରହିଥିଲା । କଟକଣା ଉଠିବା ପରେ ଚଳିତ ବର୍ଷ ପୁଣି ଶିବିର ଆରମ୍ଭ ହୋଇଛି । ପୁରୀ ବଡ ଦାଣ୍ଡ ସ୍ଥିତ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନବ ନିର୍ମିତ ବହୁତଳ ପ୍ରାସାଦ ବୃନ୍ଦାବତି ନିବାସରେ ୧୬୦୦ ହବିଷ୍ୟାଳି ରହିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ମୋଚି ସାହି କଲ୍ୟାଣ ମଣ୍ଡପ, ଅକ୍ଷୟ ପାତ୍ର ଫାଉଣ୍ଡେସନର ଗୃହ ମଧ୍ୟ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ।
