ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ତଣ୍ଡ
ସ୍ୱଚ୍ଛ ରାଜଧାନୀ ଲକ୍ଷ୍ୟରେ କଠୋର ବିଏମ୍ସି
ଭୁବନେଶ୍ୱର (ବୁ୍ୟରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ବିଜୟ ଅମୃତ କୁଲାଙ୍ଗେ । ବିଶେଷ କରି ବିଭିନ୍ନ ପରିବା ହାଟରେ ଦୋକାନୀମାନେ ଅଧିକ ଅଳିଆ ଫିଙ୍ଗୁଥିବାରୁ ସୋମବାର ଶ୍ରୀ କୁଲାଙ୍ଗେ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ରାଜଧାନୀର ଏକ ନମ୍ବର ହାଟରେ ବ୍ୟବସାୟୀଙ୍କୁ ବାରମ୍ବାର ସଚେତନ ଓ ପରାମର୍ଶ ପରେ ମଧ୍ୟ ସେମାନେ କିଛି ବି ଶୁଣୁ ନାହାନ୍ତି । ଏଠାରେ ପରିବା ବ୍ୟବସାୟ କରୁଥିବା ଦୋକାନୀମାନେ ଏଣେତେଣେ ଅଳିଆ ଫିଙ୍ଗୁଛନ୍ତି । ପଚା ପରିବା ଓ ଚୋପା ସେମାନେ ରାସ୍ତାରେ ପିଙ୍ଗି ମାର୍କେଟକୁ ଅପରିଷ୍କାର କରୁଛନ୍ତି । ଏହି ଅଭ୍ୟାସକୁ ବଦଳାଇବା ପାଇଁ କମିଶନର ବ୍ୟବସାୟୀଙ୍କୁ ଜୋରିମାନାର ଧମକ ଦେଇଛନ୍ତି । ଆଗକୁ ଯଦି ପଚା ପରିବା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ କେହି ରାସ୍ତା କୁ ଫିଙ୍ଗିବେ ତା’ହେଲେ ସେମାନଙ୍କୁ ୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ସେହିପରି ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା ଡଷ୍ଟବିନ୍ରେ ପକାଇବାକୁ ପଡ଼ିବ । ଯଦି କେହି ଅଳିଆ ଅଲଗା ଅଲଗା ନ ପାଇବେ, ତା’ହେଲେ ସେମାନଙ୍କୁ ମଧ୍ୟ ୫୦୦ ଟଙ୍କା ଜୋରିମାନା ଭରିବାକୁ ପଡ଼ିବ ବୋଲି କମିଶନର ଶ୍ରୀ କୁଲାଙ୍ଗେ କହିଛନ୍ତି ।
ରବିବାର ରାତିରେ ଶ୍ରୀ କୁଲାଙ୍ଗେ ବିଭିନ୍ନ ମାର୍କେଟରେ ବୁଲିଥିଲେ । ଏହି ସମୟରେ ବ୍ୟବସାୟୀଙ୍କ ସବୁ ହରକତ ମୁଁ ଦେଖିବାକୁ ପାଇଥିଲି । ସେମାନେ ଦୋକାନ ବନ୍ଦ କରିବାବେଳେ ସବୁ ଅଳିଆକୁ ପୂରା ରାସ୍ତା ଉପରେ ଅଜାଡ଼ି ଦେଉଛନ୍ତି । ପୂରା ମାର୍କେଟକୁ ଅପରିଷ୍କାର କରୁଛନ୍ତି । ୟୁନିଟ-୧ ମାର୍କେଟରେ ଆମେ ବାରମ୍ବାର ଅଳିଆ ଏଣେତେଣେ ନ ପକାଇବାକୁ ସଚେନତା କାର୍ଯ୍ୟକ୍ରମ କରିଥିଲୁ । ତଥାପି ସେମାନେ କିଛି ବି ଶୁଣୁ ନାହାନ୍ତି । ଯଦି ବ୍ୟବସାୟୀମାନେ ବିଏମସିକୁ ଅଳିଆ ଡଷ୍ଟବିନରେ ଦେବେ ନାହିଁ, ତା’ହେଲେ ଆମେ ମଧ୍ୟ ଅଳିଆ ଉଠାଇବୁ ନାହିଁ ବୋଲି ସେ କହିଛନ୍ତି ।