ଜମୁଛି ପ୍ରଚାର, ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର/ଭଦ୍ରକ (ବୁ୍ୟରୋ/ଆପ୍ର): ଧାମନଗର ଉପନିର୍ବାଚନ ପାଇଁ ବଢୁଛି ଉଷ୍ମତା । ଉପନିର୍ବାଚନ ପାଇଁ ଏବେ ଛକ ଛକରେ ନେତା ଓ ଜନତାଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା କରାଯାଉଛି ଓ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ତୀବ୍ର କରାଯାଇଛି । ଧାମନଗରର ବିଭିନ୍ନ ଅଞ୍ଚଳରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ସାମିଲ ହେଉଛନ୍ତି । ଏହି ସ୍ଥିତିରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ସୋମବାର ରାଜ୍ୟ କଂଗ୍ରେସ ଭବନରେ ଧାମନଗରରେ କିଏ ପ୍ରାର୍ଥୀ ହେବ ସେନେଇ ବୈଠକ ବସିଥିଲା । ମୋଟ ୩ ଜଣଙ୍କ ପ୍ରାର୍ଥୀଙ୍କ ନାମ ଦିଲ୍ଲୀ ପଠାଯାଇଛି । ମଙ୍ଗଳବାର କଂଗ୍ରେସ ଧାମନଗର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି ।
୨୦୨୪ ପୂର୍ବରୁ ଧାମନଗର ଉପନିର୍ବାଚନ ଜିତିବା ୩ ପ୍ରମୁଖ ଦଳଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ଜନସମ୍ନର୍କ ପଦଯାତ୍ରା ଦ୍ୱାରା ରାଜ୍ୟ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଉଛି ବିଜେଡି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନେତୃତ୍ୱରେ ମନ୍ତ୍ରୀ ଅଶ୍ୱୀନି ପାତ୍ର, ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏନେଇ ବିଜେଡି କହିଛି ପୂର୍ବରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସ୍ଥିର ହୋଇଛି । ଦଳ ତରଫରୁ ଉପ ନିର୍ବାଚନ ପାଇଁ ପାର୍ଥି ଘୋଷଣା ପରେ ନିର୍ବାଚନ ପାଇଁ ପ୍ରଚାର ଓ ପ୍ରସାର ଆରମ୍ଭ ହେବ । ବିଜେଡିର ପଦଯାତ୍ରା ପରେ ଟିକେଟକୁ ନେଇ ଠିକ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବରିଷ୍ଠ ନେତା କହିଛନ୍ତି ।