ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟକୁ ୮କୋଟି ମାଗିଲା ବିଏମ୍ସି
ବ୍ରହ୍ମପୁର (ବୁ୍ୟରୋ): ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳକୁ ବାତ୍ୟାର ଭୟ ଲାଗି ରହୁଛିଫ ପ୍ରତି ମାସରେ ଲଘୁଚାପ ଜନିତ ବର୍ଷା ଯୋଗୁ ସହରରେ କୃତି୍ରମ ବନ୍ୟା ସୃଷ୍ଟି ହୋଇ ଲୋକେ ପାଣି ଘେରରେ ରହୁଛନ୍ତି । ନିଗମର ନିଜସ୍ୱ ସମ୍ବଳ ହେଉ କି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଆନୁସଙ୍ଗିକ ଯନ୍ତ୍ରପାତି କ୍ରୟ କରାଯାଇଥିଲେ ମଧ୍ୟ ତାହା ମୁକାବିଲା ପାଇଁ ଯଥେଷ୍ଟ ନୁହେଁ । ଯଦ୍ଦ୍ୱାରା ବିଭିନ୍ନ ସମୟରେ ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ କରିବାରେ ମହାନଗର ନିଗମ ବିଫଳ ହେଉଛି । ଚଳିତ ବର୍ଷ ଲଘୁଚାପଜନିତ ପ୍ରବଳ ବର୍ଷା କାରଣରୁ ନିଗମ ତଳି ଅଞ୍ଚଳରେ ବର୍ଷାଜଳ ପଶୁଛି । ଏହି ସମସ୍ୟାର ସୁପରିଚାଳନା ପାଇଁ ନିଗମ ନିକଟରେ ଆନୁସଙ୍ଗିକ ଯନ୍ତ୍ରପାତି ଅଭାବ ରହିଛି । ଏହାର ସୁପରିଚାଳନା ପାଇଁ ନିଗମ ପକ୍ଷରୁ ସବୁବେଳେ ସମସ୍ୟା ଉପୁଜୁଛି । ଏଭଳି ସମସ୍ୟା ନେଇ ନିଗମ ପକ୍ଷରୁ ଆବଶ୍ୟକୀୟ ଯନ୍ତ୍ରପାତି କ୍ରୟ ପାଇଁ ରାଜ୍ୟ ସରକାରଙ୍କୁ ୭କୋଟି ୪୧ଲକ୍ଷ ଟଙ୍କାର ଏକ ବଜେଟ୍ ପ୍ରସ୍ତୁତକରି ପ୍ରସ୍ତାବ ଦିଆଯାଇଛି ।
ଲଗାଣ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଆବଶ୍ୟକୀୟ ଯନ୍ତ୍ରପାତି କ୍ରୟ ପାଇଁ ପ୍ରସ୍ତାବ ଆସିବା ପରେ ଚଳିତ ମାସ ୮ତାରିଖରେ ଅନୌପ୍ରଚାରିକ ଭାବେ ବିଏମ୍ସି ପକ୍ଷରୁ ଆଭାସି ମାଧ୍ୟମରେ ବୈଠକ କରାଯାଇଥିଲା । ମେୟର ସଂଘମିତ୍ରା ଦଳେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଇ.ବିବେକ ରେଡ୍ଡି, କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ନିଳମାଧବ ଭୋଇ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପାଢ଼ୀଙ୍କ ସମେତ ନିଗମର ବହୁ କର୍ପୋରେଟର ଏଥିରେ ଭାଗନେଇ ସହରର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ନିଗମର ବୈଷୟିକ ଯନ୍ତ୍ରୀ ପ୍ରଭାକର ପାଣିଗ୍ରାହୀ ବର୍ତ୍ତମାନ ନିଗମରେ ଥିବା ସମସ୍ତ ଯନ୍ତ୍ରପାତିର ସବିଶେଷ ତଥ୍ୟ ରଖିଥିଲେ । ରାଜ୍ୟ ସରକାର ନିଗମକୁ ଆବଶ୍ୟକୀୟ ଥିବା ଯନ୍ତ୍ରପାତି ପ୍ରଦାନ କଲେ ଆଗାମୀ ଦିନରେ ସହରରେ କୃତି୍ରମ ବନ୍ୟା ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ମେୟର ଶ୍ରୀମତୀ ଦଳେଇ କହିଥିଲେ । ନାଳ ନର୍ଦ୍ଦମାକୁ ସଫା କରିବା ନେଇ ୧କୋଟି ଟଙ୍କା ବ୍ୟୟରେ ୨ଟି ଗାଡ଼ି, ନାଳ ନର୍ଦ୍ଦମା ଚତୁଃପାଶ୍ୱର୍କୁ ସଫା ରଖିବା ପାଇଁ ୮୧ଲକ୍ଷ ଟଙ୍କା ବ୍ୟୟର ମେସିନ୍, ୬୬ଲକ୍ଷ ଟଙ୍କା ବ୍ୟୟରେ ୨ଟି ଲୋଡର, ୩୦ଲକ୍ଷ ଟଙ୍କାରେ ୨ଟି ଛୋଟ ଡ୍ରେଜର, ୨୩ଲକ୍ଷ ଟଙ୍କା ବ୍ୟୟରେ ହାଇଡ୍ରୋଲିକ୍ ପ୍ଲାଟଫର୍ମ, ଗଛକଟା ମେସିନ୍, ଘାସ କଟା ମେସିନ୍, ଫଗିଙ୍ଗ ମେସିନ୍ ଭଳି ୧୬ଟି ମେସିନ୍ କ୍ରୟ ନେଇ ୭କୋଟି ୪୧ଲକ୍ଷ ଟଙ୍କାର ଏକ ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହି ବୈଠକ ପରେ ରାଜ୍ୟ ସରକାରଙ୍କ ନିକଟକୁ ସମସ୍ତ ତଥ୍ୟ ପଠାଯାଇଥିବା ଜଣାପଡ଼ିଛି । ବର୍ଷ ବର୍ଷଧରି ମାଟି ଭର୍ତ୍ତି ଓ ଜବରଦଖଲରେ ଥିବା ନାଳର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦେବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।