ପହିଲି କାର୍ତ୍ତିକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଧ୍ୟାତ୍ମିକ ପରିବେଶରେ ହବିଷ୍ୟାଳୀ କେନ୍ଦ୍ର ଓ ଶ୍ରୀମନ୍ଦିର
ପୁରୀ (ବୁ୍ୟରୋ): ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ । ଏହି ଦିନ ଠାରୁ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ତେଣୁ ଆଜି ଭୋରରୁ ହବିଷ୍ୟାଳୀମାନେ ସହରରେ ଥିବା ବିଭିନ୍ନ ପୁଷ୍କରିଣୀରେ ସ୍ନାନ କରି ଚଉରାମୂଳେ ରାଧାଦାମୋଦରଙ୍କ ପୂଜାର୍ଚ୍ଚନା କରିଥିଲେ । ସେଠାରେ ସଂକଳ୍ପ କରି ଆରମ୍ଭ କରିଥିଲେ ପୂଜାର୍ଚ୍ଚନା । ଚଉରାମୂଳେ ବିଭିନ୍ନ ପ୍ରକାରର ରଙ୍ଗର ମୁରୁଜରେ ଚିତ୍ର ଅଙ୍କନ କରି ଗୀତ ଗାନ କରିଥିଲେ । ଫଳରେ ସେହି ସମୟରେ ଆଶ୍ରୟସ୍ଥଳୀ ପାଲଟିଥିଲା ଏକ ଭକ୍ତିମେୟ ପରିବେଶ । ସକାଳୁ ସକାଳୁ ରାଧା ଦାମୋଦର ପୂଜା ସମ୍ପନ୍ନ କଲା ପରେ ହବିଷ୍ୟାଳୀମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଫଳରେ ଚଳଚଞ୍ଚଳ ହୋଇପଡ଼ିଥିଲା ଶ୍ରୀମନ୍ଦିର । ଏହିପରି ଏକମାସ ଧରି ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ସମ୍ପାଦନ କରିବେ ।
ପ୍ରଶାସନ ପକ୍ଷରୁ ୫ଟି ଆଶ୍ରୟସ୍ଥଳୀରେ ପ୍ରାୟ ତିନି ହଜାରରୁ ଅଧିକ ହବିଷ୍ୟାଳୀ ଆଶ୍ରୟସ୍ଥଳୀରେ ରହିଥିଲା ବେଳେ ଅନ୍ୟପକ୍ଷରେ ସହରରେ ଥିବା ବିଭିନ୍ନ ମଠ, ମନ୍ଦିର ଓ ଲଜ୍ରେ ମଧ୍ୟ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀ ରହି ହବିଷ କରୁଛନ୍ତି । ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିବା ସେହି ତିନୋଟି ସ୍ଥାନ ହେଲା ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସ, ବଗଲା, ବାଗେଡ଼ିଆ ଧମଶାଳା, ଅକ୍ଷୟପାତ୍ର ଓ ମୋଚିସାହୀ କଲ୍ୟାଣମଣ୍ଡପ ଆଶ୍ରୟସ୍ଥଳୀ । ଏଠାରେ ପ୍ରଶାସନ ତରଫରୁ ହବିଷ୍ୟାଳୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏପରିକି ରାଧାଦାମୋଦର ପୂଜା ସାମଗ୍ରୀ, ପାନୀୟ, ବିଦୁ୍ୟତ୍, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର, ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମାଗଣା ଗାଡ଼ି ବ୍ୟବସ୍ଥା ଏବଂ ପ୍ରତ୍ୟେକ ଦିନ ଅପରାହ୍ଣରେ ମାଗଣାରେ ମହାପ୍ରସାଦ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଫଳରେ ହବିଷ୍ୟାଳୀମାନେ ଖୁସିରେ ଆଶ୍ରୟସ୍ଥଳୀରେ ରହିଥିବା ସୂଚନା ଦେଇଛନ୍ତି । ଅନ୍ୟପଟରେ ଏଠାରେ ରହିବା ଦ୍ୱାରା ଏକ ଭକ୍ତିମେୟ ପରିବେଶ ସୃଷ୍ଟି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *