ପରମାଣୁ ଯୁଦ୍ଧ ଆଶଙ୍କା
ପୁତିନ୍ ଡାକିଲେ ରୁଷୀୟ ନିରାପତ୍ତା ପରିଷଦ ବୈଠକ
ମସ୍କୋ, ୯ା୧ଠ: କ୍ରିମିଆ ବ୍ରିଜ୍ ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସଂକଳ୍ପବଦ୍ଧ । ସୋମବାର ସେ ରୁଷୀୟ ସୁରକ୍ଷା ପରିଷଦର ବୈଠକ ଡାକିଛନ୍ତି । ୟୁକ୍ରେନ୍କୁ ଯୁଦ୍ଧରେ ପରାସ୍ତ କରିବା ଲକ୍ଷ୍ୟରେ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ । ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିଲା ଫେବ୍ରୁଆରୀ ୨୪ରେ । ସେହି ମାସ ଦ୍ୱିତୀୟ ସପ୍ତାହରେ ପୁଟିନ୍ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ । ତେଣୁ ସୋମବାରର ବୈଠକରେ ପରମାଣୁ ଯୁଦ୍ଧ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଆଶଙ୍କା ପ୍ରକାଶ ପାଇଛି । ଏହି ବୈଠକ ଏପରି ସମୟରେ ଡକାଯାଇଛି, ଯେତେବେଳେ କି ସୋସାଲ ମିଡିଆରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଋଷ ଉପରେ ପରମାଣୁ ଆକ୍ରମଣ କରିବା ଲାଗି ନାଟୋ ଦେଶମାନଙ୍କୁ ପରାମର୍ଶ ଦେଉଥିବାର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହୋଇଛି ।
୭ ମାସରୁ ଅଧିକ କାଳ ଧରି ଚାଲିଥିବା ୟୁକ୍ରେନ୍ ଯୁଦ୍ଧରେ ଋଷିଆକୁ ବିଶେଷ ସଫଳତା ମିଳିନାହିଁ । ଦିନକୁ ଦିନ ୟୁକ୍ରେନ ସେନାର ଆକ୍ରାମକତା ବଢୁଛି । ଆମେରିକା ସମେତ ୟୁରୋପର ଅନେକ ଦେଶ ଋଷ ବିରୋଧରେ କଡ଼ା କଟକଣା ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ପୁଟିନ୍ ପୂର୍ବରୁ ଏକାଧିକ ବାର ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି । ନିରାପତ୍ତା ପରିଷଦ ବୈଠକର ନିଷ୍ପତ୍ତି ନିର୍ଣ୍ଣାୟକ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।
ପୋପ୍ଙ୍କ ନିବେଦନ
ୟୁକ୍ରେନକୁ ନେଇ ବଡ଼ ଧରଣର ପରମାଣୁ ଯୁଦ୍ଧ ଆଶଙ୍କା ପରିପ୍ରେକ୍ଷୀରେ ରୋମାନ କାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସ୍ ଇତିହାସରୁ ଶିଖିବା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି । ରବିବାର ଭାଟିକାନ୍ସିଟିର ସେଣ୍ଟ ପିଟର୍ସ ସ୍କୋୟାର ଠାରେ ଦୁଇ ନୂଆ ସନ୍ଥଙ୍କ ନାମ ଘୋଷଣା ଅବସରରେ ପୋପ୍ କହିଛନ୍ତି, ପରମାଣୁ ଯୁଦ୍ଧର ଭୟାବହତା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସାରା ପୃଥିବୀ ଦେଖିଛି । ୧୯୬ଠ ଦଶକରେ ଦ୍ୱିତୀୟ ପରମାଣୁ ଯୁଦ୍ଧ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ସମ୍ପୃକ୍ତ ସବୁ ପକ୍ଷ ଶାନ୍ତିକୁ ଆପଣାଇଥିଲେ । ବିଶ୍ୱ ନେତୃବର୍ଗ ବର୍ତ୍ତମାନର ସ୍ଥିତିରେ ଇତିହାସର ପର୍ଯ୍ୟାଲୋଚନା କରିବା ଆବଶ୍ୟକ ।