ମାୟାଜାଲରେ ମାଳ ମାଳ ନେତା!
ଭୁବନେଶ୍ୱର, ୯ା୧୦ (ବୁ୍ୟରୋ): ଚର୍ଚ୍ଚାରେ ଥିବା ଲେଡି ବ୍ଲାକମଲର ଅର୍ଚନା ନାଗଙ୍କ ସହ ବହୁ ରାଜନୈତିକ ନେତା ଓ ଆଇଏଏସ୍, ଆଇପିଏସ୍ ଅଫିସରଙ୍କ ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏ ସମ୍ବନ୍ଧୀୟ ଏକାଧିକ ଫଟୋ ସାମ୍ନାକୁ ଆସିଛି । ସଂପୃକ୍ତ ମହିଳାଙ୍କ ସହ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ସମେତ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ଫଟୋ ଥିବା ନଜରକୁ ଆସିଛି । ସେହିପରି ଏକ ଫଟୋରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ବିଜେପି ନେତା ଜୁଏଲ୍ ଓରାମ୍ଙ୍କ ସହ ଫଟୋ ଉଠାଇଥିବା ନଜରକୁ ଆସିଛି । ଏହିପରି ଏକାଧିକ ନେତା ମନ୍ତ୍ରୀଙ୍କ ସହ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ଫଟୋ ଥିବାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଚେର କେତବୋଟ ଲମ୍ବିଛି, ସେନେଇ କମିଶନରେଟ୍ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଅର୍ଚ୍ଚନା ଓ ତାଙ୍କ ଫେରାର୍ ସ୍ୱାମୀ ଜଗବନ୍ଧୁ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋଚିତ୍ର ପଦାକୁ ଆସିଛି । ତେବେ ଏ ଫଟୋ ସମ୍ପର୍କରେ ସୂର୍ଯ୍ୟ ପାତ୍ର କିମ୍ବା ମନ୍ମଥ ରାଉତରାୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ଏହି ମାମଲାରେ ଯାହାର ବି ନାଁ ଆସୁଛି, ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଉ । ସେହିପରି କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ମଧ୍ୟ ଗୋଟିଏ ଫ୍ରେମରେ ଜଗବନ୍ଧୁ ଅଛନ୍ତି । ଏ ସମ୍ପର୍କରେ ମନ୍ତ୍ରୀ ସାରକା କହିଛନ୍ତି, ସେହି ମହିଳା କି ତାଙ୍କ ସ୍ୱାମୀଙ୍କୁ ଚିହ୍ନି ନାହାନ୍ତି । ଏପରିକି ତାଙ୍କ ସହ କଥା ହେବାର ମନେ ପଡୁନି କି ଚେହେରା ବି ମନେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାରକା କହୁଛନ୍ତି ।
ଏହି ଘଟଣାରେ ପୁଲିସକୁ ଟାର୍ଗେଟ କରିଛି ବିଜେପି । ବିଜେଡିର ୨୫ ନେତା ମନ୍ତ୍ରୀ ଅର୍ଚ୍ଚନାଙ୍କ ଘରକୁ ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜେପି ନେତା ବାବୁ ସିଂ । ଅନ୍ୟ ଦଳର ନେତା ସରକାରୀ ଅଫିସର ମଧ୍ୟ ଯାଇଥାଇପାରନ୍ତି । ପୁଲିସ ଉପରେ ମାତ୍ରାଧିକ ଚାପ ରହିଛି । ସାଧାରଣ ଲୋକଙ୍କ ମନକୁ ଏବେ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର ପୁଲିସ ଦେଉ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟରେ ପୁଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଛି । ପୁଲିସ କେବଳ ପଲିଟିକାଲ ବସଙ୍କ କଥା ଅନୁସାରେ କାମ କରୁଛି । ଓଡ଼ିଶା ପୁଲିସ ନିଜର ବିବେକ ହରେଇ ସାରିଛି ବୋଲି କହିଛନ୍ତି ।