ଆଜିଠୁ କାର୍ତ୍ତିକ ବ୍ରତ
ରାଇଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ (ବୁ୍ୟରୋ): ସୋମବାରଠୁ ପବିତ୍ର ମହାକାର୍ତ୍ତିକ ମାସ ଆରମ୍ଭ । ସେଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । କାର୍ତ୍ତିକ ବ୍ରତ ପାଇଁ ଶ୍ରୀମନ୍ଦିର ଦ୍ୱାର ଶୀଘ୍ର ଖୋଲାଯାଇ ଆରମ୍ଭ ହେବ ଶ୍ରୀଜିଉଙ୍କ ନୀତିକାନ୍ତି । ଯେପରି ଧାର୍ଯ୍ୟ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହେବ ସେଥିପାଇଁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଭୋର ୪ଟାରେ ଦ୍ୱାର ଫିଟାଯାଇ ନୀତିକାନ୍ତି ଶେଷ ହେବ । ପରେ ସାଢ଼େ ୬ଟାରେ ରାଇଦାମୋଦର ବେଶରେ ସଜ୍ଜିତ ହେବେ ଶ୍ରୀଜିଉ । ପରେ ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ରାତି ୧୨ଟାରେ ପହୁଡ଼ ହେବ । ଏନେଇ ମଧ୍ୟ ସେବାୟତମାନେ ପ୍ରସ୍ତୁତ ରହିଥିବା ପ୍ରଶାସନ ସୂଚନା ଦେଇଛି ।
ଅନ୍ୟପକ୍ଷରେ କାର୍ତ୍ତିକ ବ୍ରତରେ ଯେପରି ଶ୍ରଦ୍ଧାଳୁ ଓ ହବିଷ୍ୟାଳୀମାନେ ସୁବିଧାରେ ମହାପ୍ରସାଦ ପାଇପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ପୂର୍ବନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣଦ୍ୱାର ଏବଂ ଆନନ୍ଦବଜାରରେ ମହାପ୍ରସାଦ ମିଳିବା ଲାଗି ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନେ ଉଭୟ ଦ୍ୱାର ନିକଟରେ ପହଞ୍ଚô ଆବଶ୍ୟକ ମହାପ୍ରସାଦ ପାଇପାରିବେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ଯେଭଳି ସମସ୍ତ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ ଏବଂ ବରାଦି ଅବଢ଼ା ମଧ୍ୟ ମିଳିବ ସେନେଇ କାର୍ଯ୍ୟକ୍ରମ ନିଯୋଗ ତରଫରୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।
ଚଳିତବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚଦିନରେ ପାଞ୍ଚ ପ୍ରକାର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀଜିଉମାନେ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଦର୍ଶନ ଦେବେ । ନଭେମ୍ବର ୪ ତାରିଖରେ ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୂଡ଼ା ଓ ବାମନ ବେଶ, ୬ରେ ଡାଳିକିଆ ବା ତି୍ରବିକ୍ରମ ବେଶ, ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ୮ରେ ରାଜରାଜେଶ୍ୱର ବେଶରେ ସୁସଜ୍ଜିତ ହୋଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମହାମାରୀ କରୋନା କଟକଣା ଲାଗି ଗତ ଦୁଇବର୍ଷ ପଞ୍ଚୁକରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚôତ ହୋଇଥିଲେ ଶ୍ରଦ୍ଧାଳୁ ।