ବିଜେପି ପାଇଁ ମୋଦି ଭରସା
‘ଲୋକସଭା ପ୍ରବାସ ଯୋଜନା ଫେଜ୍-୨’
ନୂଆଦିଲ୍ଲୀ(ଏଜେନ୍ସି): ବିଜେପି ୨ଠ୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ୨ଠ୨୪ ନିର୍ବାଚନ ପାଇଁ ବିଜେପି କିଛି ବଡ଼ ଧରଣର ରଣନୀତି ପୂର୍ବକ ମୈଦାନକୁ ଓହ୍ଲାଇବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ବିଜେପିର ଏହି ମେଗା ରଣନୀତି ସମ୍ପର୍କରେ କାହାକୁ କୌଣସି ଆଭାସ ନଥିବା ବେଳେ ରାଜନୈତିକ ସମୀକ୍ଷକ ତଥା ବିଶ୍ଲେଷକମାନେ କିଛି ପ୍ରସଙ୍ଗ ଉପରେ ଅନୁମାନ ଲଗାଇଛନ୍ତି ।
ବିଜେପି ୨ଠ୧୯ ଲୋକସଭା ନିର୍ବାଚନ ଫଳାଫଳକୁ ଅଭିଜ୍ଞତା ଭାବେ ବ୍ୟବହାର କରିବ । ଅର୍ଥାତ୍ ବିଜେପି ୨ଠ୧୯ରେ ଯେଉଁ ୧୪୪ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲା, ସେହି ସବୁ ଆସନରେ ବଡ଼ ଧରଣ ନିର୍ବାଚନ ରାଲିର ଆୟୋଜନ କରିପାରେ ବିଜେପି । ସେହିପରି ଏସବୁ ଆସନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ନିଜର ବଡ଼ ବଡ଼ିଆ ନେତାମାନଙ୍କୁ ନିର୍ବାଚନୀ ପ୍ରଚାର ଦାୟିତ୍ୱ ଦେଇପାରେ । ଅର୍ଥାତ୍ ୨ଠ୨୪ ଲୋକସଭା ନିର୍ବାଚନ ସମୟରେ ଏହି ୧୪୪ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ବଡ଼ ଧରଣର ନିର୍ବାଚନ ପ୍ରଚାର କରିପାରନ୍ତି ।
ଦଳ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ୧୪୪ ଆସନରୁ ମୋଦି ପ୍ରାୟ ୪ଠଟି ଆସନରେ ୪ଠଟି ବୃହତ୍ ରାଲି କରିବେ । ତେବେ ମୋଦି ଯେଉଁ ୪ଠ ଲୋକସଭା ଆସନରେ ଜନସଭା ତଥା ନିର୍ବାଚନୀ ରାଲି କରିବେ ସେସବୁ ନିର୍ବାଚନୀ କ୍ଷେତ୍ରକୁ ୪ଠ କ୍ଲଷ୍ଟର ଭାବେ ଆବଣ୍ଟିତ କରାଯାଇଛି । ବିଜେପିର ନୂଆ ପ୍ଲାନ୍ ଅନୁସାରେ ଏହିସବୁ କ୍ଲଷ୍ଟର ପାଇଁ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ପ୍ରଭାରୀ ଭାବେ ନିଯୁୂକ୍ତ କରାଯିବ । କ୍ଲଷ୍ଟର ପ୍ରଭାରୀ ନିଯୁକ୍ତ କେନ୍ଦ୍ରମନ୍ତ୍ରୀମାନଙ୍କୁ ୫ଟି ଦାୟିତ୍ୱ ଦିଆଯିବ । ୧ମରେ କ୍ୟାମ୍ପେନ୍ ପ୍ଲାନ୍କୁ ଇମ୍ପଲିମେଣ୍ଟ କରିବା, ୨ୟରେ ପବ୍ଲିକ୍ ଆଉଟରିଚ୍ କର କାର୍ଯ୍ୟକ୍ରମ ଚଳାଇବା, ୩ୟରେ ପଲିଟିକାଲ ମ୍ୟାନେଜମେଣ୍ଟ, ୪ର୍ଥରେ ନାରେଟିଭ୍ ମ୍ୟାନେଜମେଣ୍ଟ ପ୍ରସ୍ତୁତ କରିବା ଏବଂ ୫ମରେ କ୍ଲଷ୍ଟରର ଲୋକସଭା କ୍ଷେତ୍ରରେ ରାତ୍ର ରହଣି । କ୍ଲଷ୍ଟର ନିଯୁକ୍ତ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଏହି ୫ଟି ଦାୟିତ୍ୱ ତୁଲାଇବାକୁ ହେବ । ସେହିପରି ବାକି ୧ଠ୪ ଆସନରେ ବିଜେପିର ବଡ଼ ନେତାମାନେ ନିର୍ବାଚନୀ ପ୍ରଚାର ଦାୟିତ୍ୱ ସମ୍ଭାଳିବେ । ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଏହି ରଣନୀତିକୁ ‘ଲୋକସଭା ପ୍ରବାସ ଯୋଜନା ଫେଜ୍-୨’ ଭାବେ ଅଭିହିତ କରାଯାଇଛି ।
ଗତ ସେପ୍ଟେମ୍ବରରେ ହିଁ ବିଜେପି ଏହି ନୂଆ ରଣନୀତି ପ୍ରସ୍ତୁତ କରିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମିଳିତ ଭାବେ ଏହି ରଣନୀତିର ସ୍କ୍ରିପ୍ଟ ଲେଖିଛନ୍ତି ଅର୍ଥାତ୍ ରଣନୀତି ପ୍ରସ୍ତୁତ କରିଛନ୍ତି । ଏକ ବୈଠକ ଡକାଯାଇଥିବା ବେଳେ ଏଥିରେ ୨୫ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ସେମାନଙ୍କୁ ଯେଉଁ ସବୁ ଅଞ୍ଚଳ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଥିଲା ସେସବୁର ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଦାଖଲ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ରିପୋର୍ଟ ଆଧାରରେ ହିଁ ଲୋକସଭା ପ୍ରବାସ ଯୋଜନା ଫେଜ୍-୨ ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ବିଜେପିର କ୍ଲଷ୍ଟର ନିଯୁକ୍ତ କେନ୍ଦ୍ରମନ୍ତ୍ରୀମାନେ ସ୍ଥାନୀୟ ଅଞ୍ଚଳର ଅସନ୍ତୁଷ୍ଟ ଦଳୀୟ ନେତା ତଥା କର୍ମୀମାନଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ ପୁନଃ ଦଳ ପ୍ରତି ବିଶ୍ୱାସଭାଜନ କରାଇବାର ଦାୟିତ୍ୱ ନିର୍ବାହ କରିବେ ।