ତେଜୁଛି ନୀତୀଶ-ପିକେ ବାକ୍ୟୁଦ୍ଧ
ବାର୍ଦ୍ଧକ୍ୟର ଶିକାର ନୀତୀଶ ବାଚାଳଙ୍କ ଭଳି ଗପୁଛନ୍ତି: ପ୍ରଶାନ୍ତ କିଶୋର
ପାଟନା/ ନୂଆଦିଲ୍ଲୀ (ଏଜେନ୍ସି): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)ଙ୍କ ମଧ୍ୟରେ ବାକ୍ୟୁଦ୍ଧ ତୀବ୍ରତର ହେବାରେ ଲାଗିଛି । ଶନିବାର ନୀତୀଶ, ପିକେଙ୍କ ପ୍ରତି ଦେଇଥିବା ମନ୍ତବ୍ୟର କଡା ଜବାବ ରବିବାର ରଖିଛନ୍ତି ପିକେ । ପିକେ ରବିବାର ଦିନ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ନୀତୀଶଙ୍କୁ ବାର୍ଦ୍ଧକ୍ୟ ଛୁଇଁଲାଣି, ସେ ଏବେ ବାଚାଳଙ୍କ ଭଳି ପ୍ରଳାପ କରୁଛନ୍ତି । କ’ଣ କହୁଛନ୍ତି, କ’ଣ କରୁଛନ୍ତି ନୀତୀଶ ନିଜେ ମଧ୍ୟ ଜାଣିପାରୁନାହାନ୍ତି ବୋଲି ପିକେ କହିଛନ୍ତି ।
ଶନିବାର ପିକେ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଯେତେବେଳେ କିଛି ଗଣମାଧ୍ୟମ ପ୍ରତିନିଧି ନୀତୀଶଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ନୀତୀଶ କହିଥିଲେ, ପିକେ କୁଆଡେ ତାଙ୍କୁ ଜେଡିୟୁକୁ କଂଗ୍ରେସରେ ବିଲୟ କରାଇବା ନେଇ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ନୀତୀଶ, ପିକେଙ୍କୁ ବିଜେପିର ଏଜେଣ୍ଡାକୁୂ ସାର୍ଥକ କରିବା ପାଇଁ କାମ କରୁଥିବା ଜଣେ ଏଜେଣ୍ଟ ଭାବେ ମଧ୍ୟ ଅଭିହିତ କରିଥିଲେ । ନୀତୀଶ କହିଥିଲେ, ପିକେ ବିଜେପି ପାଇଁ କାମ କରିବା ପଛରେ ତାଙ୍କର ନ୍ୟସ୍ତ ସ୍ୱାର୍ଥ ନିହିତ ରହିଛି । ବିଜେପି କାଳେ ତାଙ୍କୁ କେନ୍ଦ୍ରରେ କୌଣସି ଦାୟିତ୍ୱ କିମ୍ବା ବଡ଼ ପଦବୀ ଦେବାର ଲାଳସା ରଖି ପିକେ ଏସବୁ କରୁଛନ୍ତି । କିନ୍ତୁ ବିଜେପି ତାଙ୍କୁ କଦାପି ଗ୍ରହଣ କରିବନି । ସେହିପରି ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ୍ ସିଂହ ମଧ୍ୟ ପିକେଙ୍କ ସମ୍ପର୍କରେ ବଡ଼ ସୂଚନା ଦେଇଛନ୍ତି । ଏକଦା ପିକେ ତାଙ୍କୁ କେନ୍ଦ୍ର ବିଜେପି ସରକାରରେ ମନ୍ତ୍ରୀ ପଦ ଦେବାର ଲୋଭ ମଧ୍ୟ ଦେଖାଇଥିଲେ ବୋଲି ଲଲନ୍ କହିଛନ୍ତି । ବିଜେପି କାଳେ ତାଙ୍କ ପଛରେ ସିବିଆଇ, ଆଇଟି କିମ୍ବା ଇଡିକୁ ଲଗାଇଦେବ, ସେହି ଭୟ ପିକେଙ୍କୁ ଅସନ୍ତୁଳିତ କରୁଛି ବୋଲି ଲଲନ୍ କହିଛନ୍ତି ।
ପ୍ରକାଶ, ପ୍ରଶାନ୍ତ କିଶୋର ନିୟମିତ ଭାବେ ବିହାର ରାଜନୀତିକୁ ନେଇ ଖୁୂଲମ୍ଖୁଲ୍ଲା ମନ୍ତବ୍ୟ ଦେଇଆସୁଛନ୍ତି । ବିଶେଷକରି ବିଜେପି ଠାରୁ ଦୂରେଇ ଯାଇ ନୀତୀଶ, ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟ ଗଠନ କରିବା ଏବଂ ପୁନର୍ବାର ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ନେଇ ପ୍ରଶାନ୍ତ କିଶୋର, ନୀତୀଶଙ୍କୁ ସମାଲୋଚନା କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଯେତେବେଳେ ନୀତୀଶ, ପୁରୁଣା କଥା କହିବା ପ୍ରସଙ୍ଗରେ ପିକେ ତାଙ୍କୁ କେଉଁ ପ୍ରକାର ପରାମର୍ଶ ଦେଇଥିଲେ ବୋଲି ସର୍ବସାଧାରଣରେ କହିଛନ୍ତି ସେତେବେଳେ ପିକେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ପିକେ କହିଛନ୍ତି, ନୀତୀଶ ଭୟଭୀତ ହୋଇପଡିଛନ୍ତି । ନିଜ ଦଳର ନେତାଙ୍କ ଉପରେ ମଧ୍ୟ ତାଙ୍କର ବିଶ୍ୱାସ ନାହିଁ । ଏତଦ୍ବ୍ୟତୀତ ପିକେ ଓଲଟା ପ୍ରଶ୍ନ କରିଛନ୍ତି ଯେ, ଯଦି ସେ ବିଜେପି ଏଜେଣ୍ଡା ଅନୁସାରେ କାମ କରୁଛନ୍ତି ତେବେ ସେ କଂଗ୍ରେସକୁ ସଶକ୍ତ କରିବା ଦିଗରେ କାହିଁକି ପ୍ରୟାସ କରୁଛନ୍ତି?