ବରାବର ସ୍ଥିତିରେ ଶୃଙ୍ଖଳା
ଦ୍ୱିତୀୟ ଦିନିକିଆ ଜିତାଇଲେ ଶ୍ରେୟାସ-ଈଶାନ
ରାଞ୍ଚି, ୯ା୧୦ (ଏଜେନ୍ସି): ଶ୍ରେୟାସ ଆୟର ଓ ଈଶାନ କିଶନଙ୍କ ଉଜ୍ଜ୍ୱଳ ଶତକୀୟ ଭାଗୀଦାରୀ ବଳରେ ଟିମ୍ ଇଣ୍ଡିଆ ରବିବାର ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍ରେ ପରାସ୍ତ କରିଛି । ଏଥି ସହିତ ତିନି ମ୍ୟାଚ୍ର ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ପହଞ୍ଚିଛି । ଆସନ୍ତା ୧୧ରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯିବ ।
ଭାରତୀୟ ଟିମ୍ ୪୫.୫ ଓଭର୍ରେ ୩ ୱିକେଟ୍ ହରାଇ ୨୮୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ୧୧୧ ବଲ୍ରୁ ୧୫ ଚୌକା ସହାୟତାରେ ୧୧୩ ରନ୍ର ଅପରାଜିତ ଇନିଂସ୍ ଖେଳିଥିବା ଶ୍ରେୟାସ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଶ୍ରେୟାସ ଓ ଈଶାନ କିଶନଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୫୪ ବଲ୍ରୁ ୧୬୧ ରନ୍ର ଭାଗୀଦାରୀ ହୋଇଥିଲା । ଶ୍ରେୟାସ ଟି-୨୦ ବିଶ୍ୱକପ୍ ଟିମ୍ରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଏହି ପ୍ରଦର୍ଶନ ଜରିଆରେ ସେ ଟିମ୍ ପାଇଁ ଆଶା ସଞ୍ଚାର କରିଛନ୍ତି ।
ବର୍ଷା ପ୍ରଭାବିତ ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଟିମ୍ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ଥିଲା । ୨୭୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆୟୋଜକ ଟିମ୍୍ ୪୮ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କୁ ହରାଇବା ପରେ ଟିମ୍ରେ ସଙ୍କଟଜନକ ସ୍ଥିତି ଦେଖାଦେଇଥିଲା । ଅଧିନାୟକ ଶିଖର ଧାବନ୍ (୧୩) ପୁଣି ଥରେ ବିଫଳ ହୋଇଥିଲେ । ତାଙ୍କ ୱିକେଟ୍ ୱେନ୍ ପର୍ନେଲ୍ଙ୍କ ଖାତାକୁ ଯାଇଥିଲା । ଶୁଭମନ ଗିଲ୍ ବ୍ୟକ୍ତିଗତ ୨୮ ରନ୍ରେ କାଗିସୋ ରାବଡ଼ାଙ୍କ ଶିକାର ହୋଇଥିଲେ ।
ଏହାପରେ ଈଶାନ ଓ ଶ୍ରେୟାସ ମିଶି ଇନିଂସ୍ ସମ୍ଭାଳିଥିଲେ । ଧୀରେ ଧୀରେ ଉଭୟ କ୍ରିଜ୍ରେ ଜମି ଯାଇଥିଲେ । ଇନିଂସ୍ ୧୦୦ ଓ ଏହାପରେ ୨୦୦ ଅତିକ୍ରମ କରିଥିଲା । ଉଭୟଙ୍କ ଦମ୍ଦାର ବ୍ୟାଟିଂ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲା । ଈଶାନ୍ ୬୦ ବଲ୍ରୁ ଓ ଆୟର ୪୮ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
୩୫ତମ ଓଭର୍ରେ ଟିମ୍ର ସ୍କୋର୍ ୨୦୯ ହୋଇଥିବା ବେଳେ ବିଜର୍ନ ଫର୍ଚୁନ୍ ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ । ଈଶାନ୍ (୯୩) ମାତ୍ର ୭ ରନ୍ ପାଇଁ କ୍ୟାରିଅରର ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ । ସେ ୮୪ ବଲ୍ ଖେଳି ୪ ଚୌକା ଓ ୭ ଛକା ମାରିଥିଲେ ।
ଆୟର ଏହାପରେ ପୂର୍ବ ମ୍ୟାଚ୍ରେ ପ୍ରଭାବଶାଳୀ ବ୍ୟାଟିଂ କରିଥିବା ସଞ୍ଜୁ ସାମ୍ସନ୍ଙ୍କ ସହ ମିଶି ଇନିଂସ୍କୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ । ଉଭୟ ଆଉ ୱିକେଟ୍ ପଡ଼ିବାକୁ ଦେଇ ନ ଥିଲେ ଏବଂ ୨୫ ବଲ୍ ପୂର୍ବରୁ ଟିମ୍କୁ ଜିତାଇଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୭୩ ରନ୍ର ଭାଗୀଦାରୀ ହୋଇଥିଲା । ୧୦୩ ବଲ୍ରୁ ଶତକ ପୂରଣ କରିଥିବା ଶ୍ରେୟାସ ୧୧୩ ଓ ସଞ୍ଜୁ ୩୦ ରନ୍ କରି ଅପରାଜିତ ଥିଲେ । ଶ୍ରେୟାସ କ୍ୟାରିଅରର ଦ୍ୱିତୀୟ ଶତକ ହାସଲ କରିଥିଲେ ।
ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଉଭୟ ଟିମ୍ରେ ଦୁଇଟି ଲେଖାଏଁ ପରିବର୍ତ୍ତନ ହୋଇଥିଲା । ଭାରତୀୟ ଏକାଦଶରେ ୱାଶିଂଟନ୍ ସୁନ୍ଦର ଓ ଶାହବାଜ ଅହମ୍ମଦଙ୍କୁ ସୁଯୋଗ ଦିଆଯାଇଥିଲା । କେଶବ ମହାରାଜ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଇଥିଲେ । ଫର୍ମରେ ନ ଥିବା ଟେମ୍ବା ବାଭୁମା ଓ ତାବରେଜ ଶାମ୍ସୀଙ୍କୁ ବାଦ୍ ଦିଆଯାଇଥିଲା ।
ଭ୍ରମଣକାରୀ ଟିମ୍ ଧାର୍ଯ୍ୟ ୫୦ ଓଭର୍ରେ ୭ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଏଡେନ୍ ମାର୍କରମ ସର୍ବାଧିକ ୭୯ ରନ୍ କରିଥିବା ବେଳେ ରୀଜା ହେନ୍ଡ୍ରିକ୍ସ ୭୪, ଡେଭିଡ୍ ମିଲର୍ ଅପରାଜିତ ୩୫, ହେନରିଚ୍ କ୍ଲାସେନ୍ ୩୦, ଜାନେମନ୍ ମଲାନ୍ ୨୫ ରନ୍ କରିଥିଲେ । ୪୦ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କ ୱିକେଟ୍ ପଡ଼ିବା ପରେ ହେନଡ୍ରିକ୍ସ ଓ ମାର୍କରମ ତୃତୀୟ ୱିକେଟ୍ ପାଇଁ ୧୨୯ ରନ୍ର ଭାଗୀଦାରୀ କରିଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସିରାଜ ୧୦ ଓଭର୍ରେ ୩୮ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିଲେ । ସୁନ୍ଦର, ଶାହବାଜ, କୁଲଦୀପ ଯାଦବ ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।