ସତ୍ୟପାଲ ମଲିକଙ୍କୁ ସିବିଆଇ ଜେରା

୩ଠଠ କୋଟିର ଲାଞ୍ଚ ଅଫର୍ ମାମଲା
ନୂଆଦିଲ୍ଲୀ, ୮ା୧୦: ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ଅଧିକାରୀମାନେ ଜେରା କରିଛନ୍ତି । ୩୦୦ କୋଟି ଟଙ୍କାର ଲାଞ୍ଚ ଯଚାଯିବା ମାମଲାରେ ଶନିବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ସତ୍ୟପାଲ୍ଙ୍କୁ ଜେରା କରାଯାଇଛି । ଏଥିରୁ କିଛି ସୁରାକ ମିଳିଛି କି ନାହିଁ ସେ ସମ୍ବନ୍ଧରେ ସିବିଆଇ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ତେବେ ବେଶ୍ କିଛି ଦିନ ହେଲା ସତ୍ୟପାଲ୍ ମଲିକ ମୋଦି ସରକାରଙ୍କ ବିରୋଧରେ ବୟାନ ଦେଇ ଆସୁଥିବା ପରିପ୍ରେକ୍ଷୀରେ ସିବିଆଇ ଜେରା କେନ୍ଦ୍ର ସରକାରଙ୍କ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ବିରୋଧୀ ଦଳମାନେ ମନ୍ତବ୍ୟ ଦେଇଛନ୍ତି ।
ସିବିଆଇ ସୂତ୍ର ଅନୁଯାୟୀ ସତ୍ୟପାଲ୍ ମଲିକ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଥିବା ସମୟରେ ଦୁଇଟି ଫାଇଲ୍ ମଞ୍ଜୁର କରିବା ପାଇଁ ୩୦୦ କୋଟି ଟଙ୍କାର ଲାଞ୍ଚ ଯଚା ଯାଇଥିବାର ଅଭିଯୋଗ ହୋଇଥିଲା । ଏହି କଥା ନିଜେ ସତ୍ୟପାଲ୍ ମଲିକ ଏକ ସଭାରେ ପ୍ରକାଶ କରିଥିଲେ । ପରେ ପରେ ଜମ୍ମୁ-କାଶ୍ମୀର ସରକାର ସିବିଆଇ ତଦନ୍ତ ଲାଗି ସୁପାରିଶ କରିଥିଲେ । ସୂଚନାନୁଯାୟୀ ରାଜ୍ୟପାଳ ଥିବାବେଳେ ସତ୍ୟପାଲଙ୍କୁ ଅମ୍ବାନୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ସଂଶ୍ଳିଷ୍ଟ ଜନୈକ ବ୍ୟକ୍ତି ୩୦୦କୋଟି ଟଙ୍କାର ଲାଞ୍ଚ ଯାଚିଥିଲେ । ୨୦୨୧ ଅକ୍ଟୋବର ୧୭ ତାରିଖ ଦିନ ରାଜସ୍ଥାନର ଝୁନ୍ଝୁନୁଠାରେ ଏକ କାର୍ଯ୍ୟକ୍ରମରେ ସତ୍ୟପାଲ୍ କହିଥିଲେ ଯେ କାଶ୍ମୀରକୁ ରାଜ୍ୟପାଳ ହୋଇ ଯିବା ପରେ ତାଙ୍କ ପାଖକୁ ୨ଟି ଫାଇଲ୍ ଆସିଥିଲା । ଗୋଟିଏ ଥିଲା ଅମ୍ବାନୀଙ୍କ ଫାଇଲ୍, ଅନ୍ୟଟି ଆର୍ଏସ୍ଏସ୍ ସହ ସମ୍ପୃକ୍ତ ଜନୈକ ବ୍ୟକ୍ତିଙ୍କର । ଉକ୍ତ ବ୍ୟକ୍ତି ପୂର୍ବତନ ମେହେବୁବା ମୁଫ୍ତି ଓ ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ସଚିବ ତାଙ୍କୁ କୁଆଡେ କହିଥିଲେ ଯେ ଫାଇଲ୍ ଦୁଇଟିକୁ କ୍ଲିଅର କଲେ ପ୍ରତି ଫାଇଲ୍ ପାଇଁ ୧୫୦ କୋଟି ଟଙ୍କା ମିଳିବ । “ମୁଁ କିନ୍ତୁ ସେମାନଙ୍କୁ କହିଲି ୫ହଳ କୁର୍ତ୍ତା, ପାଇଜାମା ଆଣି ଆସିଛି, ଏଠୁ ଗଲାବେଳେ ସେଇତକ ଧରି ଫେରିବି ।” ଅବଶ୍ୟ ସେତେବେଳେ ଭ୍ରଷ୍ଟାଚାର ସହ କୌଣସି ପ୍ରକାର ସାଲିସ୍ ନକରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଥିବା କଥା ସତ୍ୟପାଲ୍ ମଲ୍ଲିକ କହିଥିଲେ । ସତ୍ୟପାଲଙ୍କ ଏହି ବୟାନ ପରେ ରାଜନୈତିକ ଉଷ୍ମତା ବଢିଯାଇଥିଲା । ସତ୍ୟପାଲଙ୍କ ବୟାନରେ ସତ୍ୟତା ଅଛି କି ନାହିଁ ଏବଂ ଯଦି ଥାଏ, ତାଙ୍କୁ ଲାଞ୍ଚ ଯାଚିଥିବା ସଚିବ କିଏ, ସିବିଆଇ ଏସବୁର ଖୋଳତାଡ କରୁଛି ।
ଉଲ୍ଲେଖଯୋଗ୍ୟ ଯେ ସତ୍ୟପାଲ ମଲିକ ବିହାରର ରାଜ୍ୟପାଳ ଥିବାବେଳେ ୨୦୧୮ ମାର୍ଚ୍ଚ ୨୧ରୁ ମେ’ ୨୮ ପର୍ଯ୍ୟନ୍ତ ଓଡିଶା ରାଜ୍ୟପାଳଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *