୫ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳୀ

ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ (ବୁ୍ୟରୋ): ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଜୀକରଣ କରିଥିବା ୨୯୩୫ ହବିଷ୍ୟାଳୀଙ୍କୁ ୫ ଗୋଟି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଶନିବାର ଅପରାହ୍ଣରେ ଟାଉନ୍ ହଲ୍ଠାରେ ହବିଷ ବ୍ରତ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳୀଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି କର୍ମଚାରୀମାନେ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ । ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରି ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡ଼ିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚି ସାହି କଲ୍ୟାଣମଣ୍ଡପ ଠାରେ ଅବଶିଷ୍ଟ ଜିଲ୍ଲାର ୬୦୧ ହବିଷ୍ୟାଳୀଙ୍କ ରହଣିର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ସରକାରଙ୍କ ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମା’ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି । ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ । ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସ୍ନାନ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ୍ ଅଧିକାରୀ, ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମା’ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱେଚ୍ଛାସେବୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ । ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବାର ଆବଶ୍ୟକତା ଥିବାରୁ ବିଭାଗର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ଏହି କାର୍ଯ୍ୟକୁ ପାରସ୍ପରିକ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ସିଡିଏମ୍ଓ ଡା ସୁଜାତା ମିଶ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ ମହାପାତ୍ର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *