ବିଜେପିର ବିରୋଧ ସତ୍ତ୍ୱେ ୨ଠ ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କ ସମାବେଶ
ବିବାଦବେଳେ ନିମାପଡ଼ାରେ ମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ
ପୁରୀ/ନିମାପଡ଼ା (ବୁ୍ୟରୋ): ନିଜ ଦଳୀୟ ନେତା ତଥା ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟ ମାମଲାରେ ବିବାଦଘେରରେ ରହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ବିବାଦବେଳେ ମନ୍ତ୍ରୀ ନିମାପଡ଼ାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏପରିକି ଗୋଟିଏ ପଟେ ବିରୋଧୀ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ମନ୍ତ୍ରୀ ନିଜ ଅଞ୍ଚଳରେ ଜାହିର କରିଛନ୍ତି ନିଜର ଦବ୍ଦବା । ରାଜ୍ୟ ବିଜେପି ଠାରୁ ଆରମ୍ଭ କରି ସ୍ଥାନୀୟ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଦଳ ସିଧାସଳଖ ମନ୍ତ୍ରୀଙ୍କୁ ଦାୟୀ କରି ରାଜରାସ୍ତାରେ ବିରୋଧ କରୁଛନ୍ତି । ଏହି ବିରୋଧ ସତ୍ତ୍ୱେ ମନ୍ତ୍ରୀ ଶନିବାର ୨୦ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ସମାବେଶ କରିବାରେ ସଫଳ ହୋଇଛନ୍ତି । ଫଳରେ ଗୋଟିଏପଟେ ମନ୍ତ୍ରୀଙ୍କ ସମାବେଶ ଅନ୍ୟପଟେ ବିରୋଧୀଙ୍କ ବିରୋଧ । ଏହାରି ମଧ୍ୟରେ ଦିନତମାମ ନିମାପଡ଼ାରେ ରାଜନୈତିକ ବାତାବରଣ ଉଷ୍ଣତା ଦେଖିବାକୁ ମିଳିଥିଲା ।
ଶନିବାର ଅପରାହ୍ଣରେ ନିମାପଡ଼ାସ୍ଥିତ ସ୍ଥାନୀୟ ବାରବାଟି ପଡ଼ିଆରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମୂହିକ ଆନେ୍ଦାଳନ ତଥା ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ମହାସମାବେଶ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସମାବେଶରେ ଅଧ୍ୟକ୍ଷତା କରିଥିବାବେଳେ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ବାଚସ୍ପତି ତଥା ଜିଲ୍ଲା ବିଜୁ ଜନତାଦଳ ସଭାପତି ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ପଛରୁ ଛୁରୀ ମାରୁଥିବା ବ୍ୟକ୍ତିମାନେ ଆଜି କେନ୍ଦ୍ରରେ କ୍ଷମତାସୀନ । ଦେଶ ସ୍ୱାଧୀନତା ପାଇବା ସମୟରେ ୫୩ ଭାଗ ସମ୍ପତ୍ତି ପୁଞ୍ଜିପତିମାନଙ୍କ ହାତରେ ଥିଲା । ଏବେ ତାହା ଆହୁରି ବଢ଼ି ୭୩ ଭାଗ ହୋଇଛି । ଏଣୁ କେନ୍ଦ୍ରରେ ଥିବା ସରକାର ହେଉଛି ପୁଞ୍ଜିପତିଙ୍କର ସରକାର ।
ରାଜ୍ୟରେ ଥିବା ନବୀନ ସରକାର ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ମାଗଣାରେ ସବୁ ଯୋଗାଉଛି । ଜନ ସମ୍ପର୍କ ପଦଯାତ୍ରା ସମୟରେ ଏହି ବାର୍ତ୍ତା ମା’ମାନେ ଗାଁଗଣ୍ଡାରେ ପ୍ରଚାର ଓ ପ୍ରସାର କରିବା ଦରକାର ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ । ପେଟ୍ରୋଲ୍ ଲିଟର ୧୦୦ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ବିଜେପି ନାରା ଦେଇଥିବା ଆଛେ ଦିନ୍ କୁଆଡ଼େ ଗଲା ବୋଲି ମହେଶ୍ୱର ମହାନ୍ତି ପ୍ରଶ୍ନ କରିଥିଲେ । ସେହିପରି ବିଧାୟକ ଡ. ସାହୁ କହିଥିଲେ ଯେ ଗୌତମ ବୁଦ୍ଧଙ୍କ ତପସ୍ୟା ଭାଙ୍ଗିବାକୁ ମଧ୍ୟ କିଛି ଖଳ ପ୍ରକୃତିର ଲୋକ ଚେଷ୍ଟା କରିଥିଲେ । ଏଣୁ ତମେ ଏ ବିଜେପି ବାଲାଙ୍କ କଥାରେ ବିଚଳିତ ନ ହୋଇ ସମୀର ଭାଇଙ୍କ ହାତରେ ହାତମିଶାଇ ଆଗକୁ ଚାଲ । ନିମାପଡ଼ା ବ୍ଲକ୍ ସଭାପତି ଅଶୋକ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ଗୋପ ବ୍ଲକ୍ ସଭାପତି ମଧୁସୂଦନ ପାଇକରାୟଙ୍କ ସମେତ ମହିଳା ଓ ସମସ୍ତ ଛାମୁଆଁ ସଂଗଠନର କର୍ମକର୍ତ୍ତା ଏବଂ ହଜାର ହଜାର ସଂଖ୍ୟାରେ ମହିଳା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ ।