ଭଙ୍ଗା କୁଡ଼ିଆରେ ଜୀବନ: ମିଳୁନି ସରକାରୀ ଘର
ଧର୍ମଶାଳା (ଆପ୍ର): ଗରିବ ଲୋକଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି । ହେଲେ ଧର୍ମଶାଳା ବ୍ଲକ କାଏମା ପଂଚାୟତର ନୁଆସାହିରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଝାଟିମାଟି ପାଲଟଙ୍ଗା ଘରେ ପରିବାରର ୫ ପ୍ରାଣୀ କୁଟୁମ୍ବକୁ ନେଇ ହଳଧର ପଣ୍ଡା ରହୁଥିବା ବେଳେ ତାଙ୍କୁ ଘରଖଣ୍ଡେ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ସେ ଦୀର୍ଘ ୫ ବର୍ଷ ହେଲା ଘର ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ଗୁହାରୀ କରି ହତାଶ ହୋଇଛନ୍ତି । ଏବେ ସେ ସରପଂଚଙ୍କୁ ଜଣାଇଥିଲେ । କିନ୍ତୁ ଘର ବଦଳରେ ତାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀ ପଣ୍ଡାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ସଚିବ, ପୁଲିସ୍ ଡିଜି ଓ ଯାଜପୁର ଏସ୍ପିଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି ।
ଶ୍ରୀ ପଣ୍ଡା ଦୟନୀୟ ଭାବେ ଭଙ୍ଗା କୁଡିଆରେ ପରିବାର ସହିତ ଜୀବନ ବିତାଉଛନ୍ତି । ଦୀର୍ଘବର୍ଷ ହେଲା ଘର ମିଳିବ ବୋଲି ପ୍ରତିଶ୍ରୁତି ମିଳୁଛି । କିନ୍ତୁ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସ୍ୱଛଳ ଲୋକ ଘର ପାଉଥିଲେ ମଧ୍ୟ ତାଙ୍କୁ ନମିଳିବା ନେଇ ସେ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ଏହାଛଡା ତାଙ୍କ ନାମରେ ଥିବା ଜବକାର୍ଡ଼କୁ ଆକ୍ରୋଶରେ କାଟି ଦିଆଯାଇଛି । ଏ ସଂପର୍କରେ ସେ ସରକାରଙ୍କୁ ଜଣାଇବେ ବୋଲି କହିବାରୁ ସରପଞ୍ଚଙ୍କ ସ୍ୱାମୀ ଧନେଶ୍ୱର ମହାନ୍ତି ତାଙ୍କ ପୁଅଙ୍କୁ ଗତ ୩୦ତାରିଖରେ ଫୋନ୍ରେ ପୁଲିସ୍ ଭୟ ଦେଖାଇଥିଲେ ।ଏହାର ଘଣ୍ଟାକ ମଧ୍ୟରେ ତା ପୁଅର ଫୋନକୁ ଏସ୍ଆଇଙ୍କ ଫୋନ୍ କଲ୍ ଆସିଥିଲା । ଉକ୍ତ ଏସ୍ଆଇ ଫୋନ୍ କରି ପୁଅ ଚକ୍ରଧରଙ୍କୁ ଥାନାକୁ ଡକାଇ ଥିଲେ । ଚକ୍ରଧର ଥାନାରେ ପହଞ୍ଚିବା ପରେ ସେଠାରେ ଉଭୟ ଏସ୍ଆଇ ଏବଂ ସରପଂଚଙ୍କ ସ୍ୱାମୀ ଗାଳିଗୁଲଜ କରିବା ସହିତ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିକାର ପାଇଁ ହଳଧର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।