ଆସୁଛି ଡିଜିଟାଲ୍ ମୁଦ୍ରା

ମୁମ୍ବାଇ, ୭ା୧୦: ଭାରତରେ ଡିଜିଟାଲ୍ ମୁଦ୍ରା ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ପାଇଲଟ୍ ପ୍ରୋଜେକ୍ଟର ଡ୍ରାଫ୍ଟ ଜାରି କରାଯାଇଛି । ଶୁକ୍ରବାର ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (ସିବିଡିସି) ଉପରେ ଜାରି ହୋଇଥିବା ‘କନ୍ସେପ୍ଟ ପେପର’ରେ କୁହାଯାଇଛି ଯେ ଖୁବ୍ ଶୀଘ୍ର ଇ-ରୁପିକୁ ପାଇଲଟ୍ ପ୍ରୋଜେକ୍ଟ ଆକାରରେ ଲଞ୍ଚ୍ କରାଯିବ । ଏହି କ୍ରମରେ ଦେଶବାସୀଙ୍କୁ ଡିଜିଟାଲ୍ କରେନ୍ସି ଓ ଡିଜିଟାଲ୍ ଟଙ୍କାର ବିଶେଷତ୍ୱ ତଥା ଫାଇଦା ସମ୍ପର୍କରେ ଅବଗତ କରାଇବା ଉଦ୍ୟମ ହେବ । ଡିଜିଟାଲ୍ କରେନ୍ସିର ଲାଭ ଓ କ୍ଷତି ଅଧିକ ଆକଳନ ପୂର୍ବରୁ ପ୍ରଥମେ ୪ଟି ସରକାରୀ ବ୍ୟାଙ୍କ୍କୁ ସିବିଡିସି ପାଇଁ ପାଇଲଟ୍ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି ।
ଡିଜିଟାଲ୍ ମୁଦ୍ରା ପ୍ରଚଳନ ହେବା ଦ୍ୱାରା ଲୋକଙ୍କୁ ପାଖରେ ନଗଦ ଟଙ୍କା ରଖିବାକୁ ପଡିବ ନାହିଁ । ଏହା ମଧ୍ୟ ମୋବାଇଲ୍ ୱାଲେଟ୍ ଭଳି କାମ କରିବ । ଅର୍ଥାତ୍ ଲୋକେ ଡିଜିଟାଲ୍ ମୁଦ୍ରାକୁ ମୋବାଇଲ୍ ୱାଲେଟ୍ରେ ରଖିପାରିବେ, ବ୍ୟାଙ୍କ୍ ଆକାଉଣ୍ଟ୍ରେ ମଧ୍ୟ ରଖିପାରିବେ । ଆଉ ଏକ ବିଶେଷ କଥା ହେଉଛି ଡିଜିଟାଲ୍ ମୁଦ୍ରା ରଖିଲେ ଲୋକଙ୍କୁ ସୁଧ ବି ମିଳିବ ।
ବ୍ୟାଙ୍କିଂ ବ୍ୟବସ୍ଥା, ମୁଦ୍ରା ସମ୍ବନ୍ଧୀୟ ନୀତି ଓ ବିତ୍ତୀୟ ସ୍ଥିରତା ଉପରେ ସିବିଡିସିର ପ୍ରାରମ୍ଭିକ ପ୍ରଭାବ ଏବେ ଯାଞ୍ଚ କରାଯାଉଛି । ତା’ସହିତ ଡିଜିଟାଲ୍ ମୁଦ୍ରାର ଗୋପନୀୟତା ପ୍ରସଙ୍ଗର ବିଶ୍ଲେଷଣ କରାଯାଉଛି । ପୁନଶ୍ଚ ପ୍ରସ୍ତାବିତ ଇ-ରୂପୀ ଯେପରି ଆର୍ଥିକ ପ୍ରଣାଳୀ ଓ ବ୍ୟାଙ୍କିକ୍ ବ୍ୟବସ୍ଥାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ନକରିବ ସେଥିପାଇଁ ଧ୍ୟାନ ଦିଆଯାଉଛି । କ୍ରିପ୍ଟେକରେନ୍ସି କ୍ଷେତ୍ରରେ ବହୁ ଅସଙ୍ଗତି ପରିଲକ୍ଷିତ ହେଉଛି । ସେଥିପ୍ରତି ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ରିଜର୍ଭବ୍ୟାଙ୍କ ପକ୍ଷରୁ ପାଇଲଟ୍ ପ୍ରୋଜେକ୍ଟ ଡ୍ରାପ୍ଟରେ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ କେନ୍ଦ୍ରୀୟ ବଜେଟ୍ରେ ସିବିଡିସି ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ୨୦୨୨ ବିତ୍ତ ବିଧେୟକରେ ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ର ଜାରୁରୀ ଭାଗରେ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *