ଶେଷ ମ୍ୟାଚ୍ରେ ରୋହିତ ସେନା ବିଫଳ
୨-୧ରେ ଦ. ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ବିଜୟ
ଇନେ୍ଦାର, ୭ା୧୦ (ଏଜେନ୍ସି): ରିଲୀ ରୋସିଙ୍କ ଶତକ (ଅପରାଜିତ ୧୦୦) ପରେ ଭାରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ରେ ଭାରତକୁ ୪୯ ରନ୍ରେ ପରାସ୍ତ କରିଛି । ଏହି ପରାଜୟ ସହଜ ହୋଲ୍କର ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆର ଶତ ପ୍ରତିଶତ ବିଜୟ ବି ରେକର୍ଡ ଭାଙ୍ଗିଛି । ତେବେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ଯୋଗୁଁ ଆୟୋଜକ ଟିମ୍ ୨-୧ରେ ଶୃଙ୍ଖଳା ଜିତିଛି । ଭାରତର ସୂର୍ଯ୍ୟକୁମାର ଯାଦବ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ରିଲୀ ରୋସୋ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି ।
ଟି-୨୦ ବିଶ୍ୱକପ୍ର ଠିକ୍ ପୂର୍ବରୁ ଏହି ପରାଜୟ ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ ଆଗରେ କେତେକ ପ୍ରଶ୍ନ ଛିଡ଼ା କରିଛି । ଏହା ବିଶ୍ୱକପ୍ ପୂର୍ବରୁ ଭାରତର ଶେଷ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଥିଲା । ବୋଲିଂ ଦିଗହୀନ ଓ ଦୁର୍ବଳ ଥିଲା । ଫିଲ୍ଡିଂ ମଧ୍ୟ ଆନ୍ତର୍ଜାତିକ ମାନକ ଦୃଷ୍ଟିରୁ ଦୁର୍ବଳ ଥିଲା । ମହମ୍ମଦ ସିରାଜ ଗୁରୁତ୍ୱପୂର୍ଣ୍ଣ ସମୟରେ ଦୁଇଟି କ୍ୟାଚ୍ ଛାଡ଼ିଥିଲେ । ବ୍ୟାଟର୍ମାନଙ୍କ ଦାୟିତ୍ୱହୀନ ସଟ୍ ଯୋଗୁଁ ଭାରତୀୟ ଇନିଂସ୍ ଲକ୍ଷ୍ୟସ୍ଥଳର ବହୁ ପୂର୍ବରୁ ଭୁଶୁଡ଼ି ଯାଇଥିଲା । ଦିନେଶ କାର୍ତ୍ତିକ କ୍ରିଜ୍ରେ ଜମିବା ପରେ ରିଭର୍ସ ସ୍ୱିପ୍ ଖେଳିବା ସମୟରେ ୱିକେଟ୍ ହରାଇଥିଲେ । ସେତେବେଳେ ସେଭଳି ସଟ୍ର ଆବଶ୍ୟକତା ନ ଥିଲା । ବାର୍ଥଡେ ବଏ ରିଷଭ ପନ୍ତ ମଧ୍ୟ ଏମିତି କିଛି କରିଥିଲେ ।
ଦକ୍ଷିଣ ଆଫ୍ରିକୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା । ଜବାବରେ ଭାରତୀୟ ଟିମ୍ ୧୮.୩ ଓଭର୍ରେ ୧୭୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
୪ ରନ୍ ମଧ୍ୟରେ ଅଧିନାୟକ ରୋହିତ ଶର୍ମା (୦) ଓ ଶ୍ରେୟାସ ଆୟର (୧)ଙ୍କ ୱିକେଟ୍ ପଡ଼ିବା ପରେ ପନ୍ତ (୨୭) ଓ ଦିନେଶ କାର୍ତ୍ତିକ (୪୬) ଅବଶ୍ୟ କେତେକ ଭଲ ସଟ୍ ଖେଳି ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୪୧ ରନ୍ ଯୋଗ କରିଥିଲେ । କିନ୍ତୁ ଉଭୟ ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ । ଏହାପରେ ଭାରତୀୟ ବ୍ୟାଟିଂ କ୍ରମ ଭୁଶୁଡ଼ିବାରେ ଲାଗିଲା । ସୂର୍ଯ୍ୟକୁମାର ଯାଦବ (୮) ବି ନିରାଶ କରିଥିଲେ । ୮୬ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚାହର ୩୧ ରନ୍ କରିଥିବା ବେଳେ ଉମେଶ ଯାଦବ ଅପରାଜିତ ୨୦, ହର୍ଷଲ ପଟେଲ୍ ୧୭, ଅକ୍ଷର ପଟେଲ୍ ୯, ମହମ୍ମଦ ସିରାଜ ୫ ଓ ରବିଚନ୍ଦ୍ରନ୍ ଅଶ୍ୱିନ ୨ ରନ୍ କରିଥିଲେ ।
ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାୱାରପ୍ଲେ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକୀୟ ଟିମ୍ ୧ ହରାଇ ୪୮ ରନ୍ ସଂଗ୍ରହ କରିଥିଲା । ତେମ୍ବା ବାଭୁମା (୩) ପୁଣି ଥରେ ଫ୍ଲପ୍ ହୋଇଥିଲେ । ତେବେ କୁଇଣ୍ଟନ ଡି’ କକ୍ (୬୮) ଓ ରିଲୀ ରୋସୋ (୪୮ ବଲ୍ରୁ ଅପରାଜିତ ୧୦୦) ଇନିଂସ୍ ସମ୍ଭାଳିଥିଲେ । ଷ୍ଟବ୍ସ ୨୩ ରନ୍ କରିଥିବା ବେଳେ ଡେଭିଡ୍ ମିଲର୍ ୧୯ ରନ୍ କରି ରୋସୋଙ୍କ ସହ ଅପରାଜିତ ଥିଲେ ।
ରୋସୋ ଓ ଷ୍ଟବ୍ସଙ୍କୁ ଜୀବନଦାନ
କୁଇଣ୍ଟନ ଡି’ କକ୍ ଓ ରୋସୋ ପ୍ରାୟ ୧୨ ଆଭରେଜ୍ରେ ରନ୍ କରିଥିଲେ । ଇତ୍ୟବସରେ ଡି’କ୍ ନବମ ଓଭର୍ରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲ୍ରେ ରିଭର୍ସ ସ୍ୱିପ୍ରେ ଏକ ଛକା ମାରିଥିଲେ । ଏହି ଓଭର୍ର ଶେଷ ବଲ୍ରେ ରୋସୋଙ୍କୁ ଜୀବନଦାନ ମିଳିଥିଲା ଯେତେବେଳ ବ୍ୟାକ୍ୱାଡ୍ ଡିପ୍ ସ୍କୋୟାର୍ ଲେଗ୍ ବାଉଣ୍ଡାରୀରେ ସିରାଜ ତାଙ୍କ କ୍ୟାଚ୍ ଛାଡ଼ି ଦେଇଥିଲେ । ସେତେବେଳେ ରୋସୋ ୨୯ ରନ୍ କରି ଖେଳୁଥିଲେ ।
ଡି’କକ୍ ୧୦ମ ଓଭର୍ରେ ଉମେଶ ଯାଦବଙ୍କ ବଲ୍ରେ ଡିପ୍ ମିଡ୍-ୱିକେଟ୍ ଉପର ଦେଇ ଛକା ମାରି ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଡି’ କକ୍ ଓ ରୋସୋଙ୍କ ମଧ୍ୟରେ ୯୦ ରନ୍ର ଭାଗୀଦାରୀ ହୋଇଥିଲା । ଡି’କକ୍ ୪୩ ବଲ୍ରୁ ୬୮ ରନ୍ର ଇନିଂସ୍ ଖେଳିଥିଲେ ।
ଷ୍ଟବ୍ସ ମଧ୍ୟ ଜୀବନଦାନ ପାଇଥିଲେ । ସିରାଜଙ୍କ ଦ୍ୱାରା ପକାଯାଇଥିବା ୧୭ତମ ଓଭର୍ର ପଞ୍ଚମ ବଲ୍ରେ ଷ୍ଟବ୍ସଙ୍କ କ୍ୟାଚ୍କୁ ଥାର୍ଡମ୍ୟାନ୍ରେ ଉମେଶ ଯାଦବ ଧରିଥିଲେ । କିନ୍ତୁ ଏହା ନୋ-ବଲ୍ ହେବାରୁ ଆଉଟ୍ ନାକଚ ହୋଇଯାଇଥିଲା ।