ଲକ୍ଷ୍ମୀ ପୂଜାରେ ବର୍ଷିବ
ଘନୀଭୂତ ହେଉଛି ଏକାଧିକ ଘୂର୍ଣ୍ଣିବଳୟ
ଭୁବନେଶ୍ୱର, ୭ା୧୦ (ବୁ୍ୟରୋ): ଦୁର୍ଗା ପୂଜା ପରେ ଏବେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ବର୍ଷା ହେବ । ସମୁଦ୍ର ଉପରେ ଏବେ ଏକାଧିକ ଘୁର୍ଣ୍ଣିବଳୟ ଘନୀଭୂତ ହେଉଥିବାବେଳେ ଆସନ୍ତା ୧୧ ତାରିଖ ଯାଏ ଉପକୂଳ ତଥା କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ପ୍ରକାଶ ପାଇଛି । ଆସନ୍ତା ୯ ତାରିଖ କୁମାର ପୂର୍ଣ୍ଣିମା ଓ ୧୦ରୁ ଗଜଲକ୍ଷ୍ମୀ ପୂଜା ରହୁଥିବାରୁ ଏଥର ପୂଜା ପାର୍ବଣର ମାହୋଲ ବର୍ଷାରେ ଭିଜିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
ସୂଚନା ମୂତାବକ, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଜଗପତି ଓ କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ରବିବାର ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ କମିବ, ହେଲେ ଉତ୍ତର ଉପକୂଳ ତଥା ତତ୍ସଂଲଗ୍ନ ଅଞ୍ଚଳରେ ବର୍ଷାର ବିସ୍ତୃତି ଜାରି ରହିବ । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ୧୦ ତାରିଖରେ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସ୍ଥିତି ଆସନ୍ତା ୧୧ ତାରିଖ ଯାଏ ଲାଗି ରହିବ । ତା ପରେ ରାଜ୍ୟରେ ପାଗ ଆଂଶିକ ବଦଳିବ । ୧୫ ପରେ ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି । ଯାହାକି ଅଧିକରୁ ଅଧିକ ଘନିଭୂତ ହୋଇ ଏକ ବଳଶାଳୀ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରିହୋଇଛି ।