କାତାରରେ ଶେଷ ବିଶ୍ୱକପ୍ ଖେଳିବେ ମେସୀ
କ୍ୟାରିଅରରେ ଦେଇଛନ୍ତି ୭୮୧ ଗୋଲ୍
ବୁଏନସ୍ ଏରିସ୍, ୭ା୧୦ (ଏଜେନ୍ସି): ଆର୍ଜେଣ୍ଟିନାର ଖ୍ୟାତନାମା ଫୁଟ୍ବଲର୍ ଲିଓନେଲ୍ ମେସୀ ତାଙ୍କ ଅବସର ନେଇ ସଙ୍କେତ ଦେଇଛନ୍ତି । ଆସନ୍ତା ମାସରେ କାତାରରେ ସେ ଶେଷ ଫିଫା ବିଶ୍ୱକପ୍ ଖେଳିବେ ବୋଲି କହିଛନ୍ତି । ମେସୀଙ୍କ ଏହା ପଞ୍ଚମ ବିଶ୍ୱକପ୍ ହେବ ।
ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍ବଲର୍ଙ୍କ ମଧ୍ୟରେ ପରିଗଣିତ ଏହି ୩୫ବର୍ଷୀୟ ଫୁଟ୍ବଲର୍ ଆର୍ଜେଣ୍ଟିନାର ସେବାଷ୍ଟିଆନ୍ ଭିଗ୍ନୋଲୋଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍ ତାଙ୍କର ଶେଷ ବିଶ୍ୱକପ୍ ହେବ । ସେ ପୂର୍ବରୁହିଁ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଟିମ୍କୁ ଏହାର ସୂଚନା ବି ଦେଇସାରିଛି, ଏହା ତାଙ୍କର ଶେଷ ବିଶ୍ୱକପ୍ ହେବ ।”
୨୦୦୫ରେ ଖେଳିଥିଲେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍
ମେସୀ ପଞ୍ଚମ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି । ସେ ୨୦୦୫ରେ ଆର୍ଜେଣ୍ଟିନା ପକ୍ଷରୁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ । ସେ ୧୬୪ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୯୦ ଗୋଲ୍ ଦେଇଛନ୍ତି । ସେ ବିଶ୍ୱକପ୍ରେ ୧୯ ମ୍ୟାଚ୍ରେ ୬ ଗୋଲ୍ ସ୍କୋର୍ କରିଛନ୍ତି । ଓଭରଅଲ୍ କ୍ୟାରିଅରରେ ସେ ୭୮୧ ଗୋଲ୍ ଦେଇଛନ୍ତି ।
ନାପ୍କିନ୍ ପେପର୍ରେ ସ୍ୱାକ୍ଷର କରିଥିଲେ ପ୍ରଥମ ଚୁକ୍ତି
ମେସୀ ନିଜ ପ୍ରଥମ ଚୁକ୍ତି ନାପ୍କିନ୍ ପେପର୍ରେ ସାଇନ୍ କରିଥିଲେ । ସେ ୨୦୦୦ରେ ୧୩ ବର୍ଷ ବୟସରେ ବାର୍ସିଲୋନା ସହ ସଂଶ୍ଳିଷ୍ଟ ହୋଇଥିଲେ । ପେପର୍ ନ ଥିବା ଯୋଗୁଁ ସେ ଏକ ନାପ୍କିନ୍ ପେପର୍ରେ ଚୁକ୍ତି ସ୍ୱାକ୍ଷର କରିଥିଲେ । ବାର୍ସିଲୋନା କ୍ଲବ୍ ମେସୀଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସେ ୟୁରୋପରେହିଁ ରହିବା ସର୍ତ୍ତରେ ବହନ କରିବାକୁ ପ୍ରସ୍ତୁତ ହୋଇଥିଲା ।
ଗ୍ରୋଥ୍ ହରମୋନ୍ ଡେଫିସିଏନ୍ସିରେ ପୀଡ଼ିତ ଥିଲେ
ମାତ୍ର ଛଅ ବର୍ଷ ବୟସରେହିଁ ମେସୀ ଫୁଟ୍ବଲ୍କୁ ନେଇ ରାସ୍ତାରେ ୧୫-୨୦ ମିନିଟ୍ ଯାଏଁ ଜଗଲିଙ୍ଗ୍ କରୁଥିଲେ । ବଲ୍ ତାଙ୍କ ଗୋଡ଼ରୁ ତଳକୁ ପଡ଼ୁ ନ ଥିଲା । ଏତେ ଛୋଟ ପିଲାକୁ ଏଭଳି କରୁଥିବାର ଦେଖି ଲୋକେ ମେସୀଙ୍କୁ ପୁରସ୍କାର ବାବଦରେ ଅର୍ଥରାଶି ଦେଉଥିଲେ । ଲୋକେ ତାଙ୍କୁ ଭବିଷ୍ୟତର ଫୁଟ୍ବଲର୍ କହିବା ଆରମ୍ଭ କରିଦେଇଥିଲେ ।
ମେସୀଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା, ଜଣାପଡ଼ିଥିଲା ଯେ ତାଙ୍କୁ ‘ଗ୍ରୋଥ୍ ହରମୋନ୍ ଡେଫିସିଏନ୍ସି’ ରୋଗ ହୋଇଛି, ଯେଉଁଥିରେ ଶରୀରର ବିକାଶ ଅଟକିଯାଏ । ଏହାର ଚିକିତ୍ସାରେ ପ୍ରତି ମାସରେ ୧୦୦୦ ଡଲାରର ଖର୍ଚ୍ଚ ଉଠାଇବାକୁ ତାଙ୍କ ପରିବାର ସମର୍ଥ ନ ଥିଲା । ସେତେବେଳେ ନେଭଲ୍ସ ଓଲ୍ଡ ବଏ କ୍ଲବ୍ ବାର୍ସିଲୋନା କ୍ଲବ୍କୁ ଏହାର ସୂଚନା ଦେଇଥିଲା, ଯିଏ ମେସୀଙ୍କ ଖେଳରେ ପ୍ରଭାବିତ ହୋଇଥିଲା ଏବଂ ତାଙ୍କୁ ଟିମ୍ରେ ସାମିଲ୍ କରିବାକୁ ଚାହୁଁଥିଲା ।
ଜିତିଛନ୍ତି ୨୮ ମୁକୁଟ, ଗୋଟିଏ ବି ବିଶ୍ୱକପ୍ ନାହିଁ
ମେସୀ ତାଙ୍କ କ୍ୟାରିଅରରେ ମୋଟ୍ ୨୮ ମୁକୁଟ ଜିତିଛନ୍ତି; କିନ୍ତୁ ସେଥିରେ ଗୋଟିଏ ବି ବିଶ୍ୱକପ୍ ନାହିଁ । ସେ ସର୍ବାଧିକ ୧୧ ଥର ଲିଗ୍ ମୁକୁଟ ଜିତିଥିବା ବେଳେ ସାତ ଥର ନାସ୍ନାଲ୍ କପ୍ସ, ଚାରି ଥର ଚାମ୍ପିଅନ୍ସ ଲିଗ୍, ତିନି ଥର କ୍ଲବ୍ ବିଶ୍ୱକପ୍ ଏବଂ ଥରେ ଲେଖାଏଁ କୋପା ଆମେରିକା, ଫାଇନଲିସ୍ମା, ଅଲିମ୍ପିକ୍ସ ମୁକୁଟ କରାୟତ୍ତ କରିଛନ୍ତି ।
ସର୍ବାଧିକ ସାତ ଥର ବାଲୋନ୍ ଡି’ ଓର୍
ମେସୀ ସର୍ବାଧିକ ସାତ ଥର ସମ୍ମାନଜନକ ବାଲୋନ ଡି’ ଓର୍ ପୁରସ୍କାର ଜିତିଛନ୍ତି । ଏହାଛଡ଼ା ଛଅ ଥର ୟୁରୋପିଆନ୍ ଗୋଲ୍ଡେନ୍ ଶୁଜ୍, ଥରେ ବିଶ୍ୱକପ୍ ଗୋଲ୍ଡେନ୍ ବଲ୍ ପୁରସ୍କାର ପାଇଛନ୍ତି । ଥରେ ସର୍ବଶ୍ରେଷ୍ଠ ଫିଫା ପୁରୁଷ ଖେଳାଳି, ତିନି ଥର ୟୁଏଫା ପ୍ଲେୟାର୍ ଅଫ୍ ଦ ଇଅର ଏବଂ ଛଅ ଥର ଲିଗ୍ରେ ପ୍ଲେୟାର୍ ଅଫ୍ ଦ ଇଅର ବିବେଚିତ ହୋଇଛନ୍ତି । ଏହାଛଡ଼ା ୧୪ ଥର ଏଫ୍ଆଇଏଫ୍ ପ୍ରୋ ୱାଲ୍ଡ ଇଲେଭେନ୍ରେ ସ୍ଥାନ ପାଇଛନ୍ତି ।