ନୂଆ ବିଏମ୍ସି କାର୍ଯ୍ୟାଳୟରେ ଡେଲୋଏଟ୍ର ଟେକ୍ନୋଲଜି ସେଣ୍ଟର୍
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ୍ ଭୁବନେଶ୍ୱରରେ ଖୋଲିବାକୁ ଯାଉଛି । ନୂଆଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ ରେନଜେନ ସାକ୍ଷାତ କରିଛନ୍ତି । ଭୁବନେଶ୍ୱର ଓ କୋଏମ୍ବାଟୁରଠାରେ ଏକ ବୃହତ ଟେକ୍ନୋଲୋଜି ସେଣ୍ଟର ଆରମ୍ଭ ହେବ । ଡେଲୋଏଟ୍ର ଏହି ପଦକ୍ଷେପ ଯୋଗୁଁ ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଏହାସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଗ୍ରାମାଞ୍ଚଳରେ ଥିବା ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି ଓ ଡିଜିଟାଲ ଅର୍ଥନୀତିରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବା ଦିଗରେ ଏଠାରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ନଭେମ୍ବରରେ ଭୁବନେଶ୍ୱର ସତ୍ୟନଗର ବିଏମସି ଟାୱାରରେ ଡେଲଏଟ୍ର ଡେଭଲପମେଣ୍ଟ ସେଣ୍ଟର ଖୋଲିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଦେଶର ବଡ ବଡ ମେଟ୍ରୋ ସିଟିରେ ଏହାର ଅଫିସ ରହିଛି । ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଦିଲ୍ଲୀ ପରି ବିିଭିନ୍ନ ସହରରେ ଡେଲଏଟ୍ର କରପୋରେଟ ଅଫିସ ରହିଛି । ଏବେ ରାଜଧାନୀ ଭୁବନେଶ୍ୱରରେ ଡେଲଏଟ୍ ଅଫିସ ଖୋଲିବା ପରେ ରାଜ୍ୟରେ ଅନେକ କମ୍ପାନୀ ଖୋଲିବାକୁ ଆଗ୍ରହ ପ୍ରକାଶ କରିବେ । ଏହା ସହ ରାଜ୍ୟରେ ନିଯୁକ୍ତି ସୁଯୋଗ ବି ବଢିବ ବୋଲି ଏହି ଅବସରରେ ଆଶା ପ୍ରକାଶ ପାଇଛି ।