ପରଲୋକରେ ବିଧାୟକ ବରିହା
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ୱର, ୩ା୧ଠ(ବୁ୍ୟରୋ): ଆଉ ନାହାନ୍ତି ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଦେଢ ବର୍ଷ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ଏହି କାରଣରୁ ଆଗପରି ଆଉ ସେ ଲୋକସମ୍ପର୍କରେ ଆସୁନଥିଲେ ।
ତେବେ ରବିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି । ତାଙ୍କର ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।
ସୋମବାର ତାଙ୍କ ପାର୍ଥିବ ଶରୀରକୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ସେଠାରେ ଦଳୀୟ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତାଙ୍କ ମରଶରୀରକୁ ଜନ୍ମମାଟି ପଦ୍ମପୁରକୁ ନିଆଯିବ ବୋଲି ସୂଚନା ମିଳିଛି ।
ବିଧାୟକ ବରିହାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ବିଧାୟକ ବରିହାଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ସାମାଜିକ ଓ ରାଜନୈତିକ ଜୀବନରେ ସେ କରିଥିବା ଉଲ୍ଳେଖନୀୟ କାର୍ଯ୍ୟଗୁଡ଼ିକ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ।
ବିଜୟ ରଞ୍ଜନ ବରିହା ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ସେହି ଅଞ୍ଚଳର ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଦୁଇ ଦୁଇ ଥର ଛାତ୍ରନେତା ଭାବେ ନିର୍ବାଚିତ ହୋଇଥିଲେ । ପଶ୍ଚିମ ଓଡିଶାରେ ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ । ସ୍ୱର୍ଗତ ବରିହା ପଦ୍ମପୁର ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିଲେ । ସେ ପ୍ରଥମ ଥର ପାଇଁ ୧୯୯୦ରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ରୁ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୯ ନିର୍ବାଚନରେ ନିର୍ବାଚନରେ ଜିତି ଏଯାଏଁ ବିଜୁ ଜନତା ଦଳର ବିଧାୟକ ଥିଲେ ବିଜୟ ରଞ୍ଜନ । ସେ ଓଡିଶା ସରକାରରେ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।