ଶ୍ରୀମନ୍ଦିର ସଂସ୍କାର ଅଧୁରା
ାା ପୁରୀ ହିଂସାକୁ ୪ ବର୍ଷ ପୂରିଲା ।ା
ପୁରୀ (ବୁ୍ୟରୋ): ପୁରୀ ହିଂସାକୁ ୪ବର୍ଷ ପୂରିଲା । ଗତ ୨୦୧୮ ଅକ୍ଟୋବର ୩ରେ ହିଂସା ଘଟିଥିଲା । ଧାଡ଼ି ଦର୍ଶନକୁ ନେଇ ଓ ଉଠାଦୋକାନୀଙ୍କ ଅସନ୍ତୋଷ, ସ୍ଥାନୀୟ ଅଧିବାସୀଙ୍କ ଶ୍ରୀମନ୍ଦିରରେ ମନଇଚ୍ଛା ପ୍ରବେଶ ରୋକ୍ ଲାଗିବା ଏବଂ ଅନେକ ସମସ୍ୟା ନେଇ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ଶ୍ରୀମନ୍ଦିର ସଂସ୍କାର ପାଇଁ ଅନେକଗୁଡ଼ିଏ ପ୍ରସ୍ତାବକୁ ନେଇ ସେତେବେଳେ ଜୋର୍ଦାର ଚର୍ଚ୍ଚା ଚାଲିଥିଲା । ପୁରୀ ବନ୍ଦ ସମୟରେ ବ୍ୟାପକ ହିଂସା ଘଟିବା ସହ ପୋଡ଼ାଜଳା, ବ୍ୟାରିକେଡ୍ ଭାଙ୍ଗିବା, ପୁଲିସ ପୋଷ୍ଟ୍ ପୋଡ଼ିବା, ଟାଉନ୍ ଥାନା ଭିତରେ ଧସେଇ ପଶିବା ଓ ସେତେବେଳର ମନ୍ତ୍ରୀ ତଥା ପୁରୀ ବିଧାୟକଙ୍କ ଘରେ ଭଙ୍ଗାରୁଜା ଘଟଣାରେ ବ୍ୟାପକ ଗିରଫଦାରୀ ହୋଇଥିଲା । ପ୍ରାୟ ୨ଶହରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ମାଳ ମାଳ ଦଫା ଲାଗୁ କରାଯାଇଥିଲା । ସିସିଟିଭି ଫୁଟେଜ୍ରେ ଯେଉଁମାନେ ଦେଖାଯାଉଥିଲେ ସେମାନଙ୍କୁ ନେଇ ଜେଲ୍ରେ ଠୁଙ୍କି ଦେଉଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହି ସମସ୍ୟାର ଆଜିପର୍ଯ୍ୟନ୍ତ ସମାଧାନର ସୂତ୍ର ବାହାରି ପାରିନାହିଁ ।
ସ୍ଥାନୀୟ ଅଧିବାସୀ ଓ ଭକ୍ତମାନେ ଆଧାରକାର୍ଡ ନ ନେଲେ ସିଂହଦ୍ୱାରକୁ ଛାଡ଼ି ଅନ୍ୟଦ୍ୱାରରେ ପ୍ରବେଶ କରିପାରୁ ନାହାନ୍ତି । ଯେଉଁ ଭକ୍ତ ଲୁଗାପିନ୍ଧି ବେକରେ ଗାମୁଛା ପକାଇ ମନ୍ଦିରକୁ ଯିବ ସେ କ’ଣ ଆଧାରକାର୍ଡ ବେକରେ ଝୁଲାଇବ ବୋଲି ସେତେବେଳେ ଚର୍ଚ୍ଚା ଚାଲିଥିଲା । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତର ଆଧାରକାର୍ଡ ନିହାତି ଦରକାର ବୋଲି ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଫତୁଆ ଜାରି କରିଥିଲେ । ଅନ୍ୟପକ୍ଷରେ ଶହ ଶହ ଉଠାଦୋକାନୀ ବିତାଡ଼ିତ ହୋଇ ବର୍ତ୍ତମାନ ସୁଦ୍ଧା ହାତବାନ୍ଧି ବସିଛନ୍ତି । ସେମାନଙ୍କ ପରିବାର ଋଣ କରଜ କରି ଦୟନୀୟ ଅବସ୍ଥାରେ ଅଛନ୍ତି । ହିଂସାକାଣ୍ଡରେ ଗିରଫଦାରୀ ଭୟ ଏପରି ରହିଥିଲା ଯେ ପରେ ୭୫ମିଟର ଉଚ୍ଛେଦ ସମୟରେ କେହି ପାଟି ଖୋଲିବାକୁ ସାହାସ କରିପାରିଲେ ନାହିଁ । ଏହାର ସୁଯୋଗ ନେଇ ପ୍ରଶାସନ ବିନା ନୋଟିସ୍ ଓ କାଗଜପତ୍ରରେ ସିଧାସଳଖ ବୁଲ୍ଡୋଜର୍ ଧରି ଭାଙ୍ଗିଲା ବୋଲି ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ପ୍ରବେଶକୁ ନେଇ ସେତେବେଳେ ଯେଉଁ ସମସ୍ୟା ରହିଥିଲା ତାହା ଏବେ ମଧ୍ୟ ବଳବତ୍ତର ରହିଛି । ଆଇନର ଅଡୁଆ ସୂତାରେ ଶ୍ରୀମନ୍ଦିର ସଂସ୍କାର ମାମଲା ଝୁଲି ରହିଛି ।
ପୁରୀକୁ ବିଶ୍ୱସ୍ତରୀୟ ନଗରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ସୁନେଲୀ ସ୍ୱପ୍ନ ଦେଖିଛନ୍ତି । ତାହା କେତେଦୂର ସାକାର ହୋଇପାରିବ ତାହା ଭବିଷ୍ୟତ କହିବ । କେତେକ ମଠ ଭଙ୍ଗାଯିବା ପରେ ଏବେ ଆଇନ ଜାଲରେ ପ୍ରଶାସନ ଛନ୍ଦି ହୋଇଥିଲା । ଶ୍ରୀମନ୍ଦିରକୁ ନେଇ ଏବେ ବି ଅନେକ ସମସ୍ୟା ରହିଛି । ତତ୍ସହିତ ଆଜି ବି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।