ଦାଦନ ଶ୍ରମିକଙ୍କ ଗୋଡ଼, ପାପୁଲି କାଟିଲା ଦଲାଲ

ମୋହନା, ୩ା୧୦(ଆପ୍ର): ଅଧିକ ମଜୁରି ଦେବ ବୋଲି ପ୍ରତିଶ୍ରୁତି ଦେଇ ଉତ୍ତର ପ୍ରଦେଶ ନେଇଥିଲା ଜଣେ ଦଲାଲ । ସେଠାରେ ଅଧିକ ମଜୁରି ତ ଦୂରର କଥା ଯେତିକି ପ୍ରାପ୍ୟ ତା’ ମଧ୍ୟ ଦେଲା ନାହିଁ । ବରଂ ମଜୁରି ମାଗିବାରୁ ପାପୁଲି ଓ ଗୋଡ଼ କାଟିଦେଲା । ଚିକିତ୍ସା ନ କରି ଘରକୁ ପଠାଇ ଦେଲା ଓ ପୁଲିସକୁ ଜଣାଇଲେ ସପରିବାର ମାରିଦେବ ବୋଲି ଧମକ ଦେଇ ପଳାଇଲା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଗଜପତି ଜିଲ୍ଲାର ଅଡ଼ବା ଥାନା ଅଞ୍ଚଳରେ ଘଟିଛି ।
ଗତ ୧୩ ତାରିଖରେ କଲବା ଗାଁର ଶାଙ୍କ ମୁର୍ମୁଙ୍କୁ ସ୍ଥାନୀୟ ନିକଟସ୍ଥ ଅଞ୍ଚଳର ୪ଜଣ ଯୁବକ ଉତ୍ତର ପ୍ରଦେଶ ଯିବାକୁ କହିଥିଲେ । ସେଠାରେ ଥିବା ଏକ ସିମେଣ୍ଟ କମ୍ପାନୀରେ କାମ କଲେ ମାସକୁ ୨୦ ହଜାର ଟଙ୍କା ବେତନ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ । ଶାଙ୍କ ମଧ୍ୟ ସେମାନଙ୍କ କଥାରେ ରାଜି ହୋଇ ଆଉ ୭ ଯୁବକଙ୍କ ସହ ଉତ୍ତର ପ୍ରଦେଶ ଯାଇ ସିମେଣ୍ଟ କମ୍ପାନୀରେ କାମ କରିଥିଲେ ।
ସେଠାରେ ସପ୍ତାହେ କାମ କରିବା ପରେ ଶାଙ୍କ ତାଙ୍କର ପାରିଶ୍ରମିକ ମାଗିଥିଲେ । ଏହା ତାଙ୍କ ପାଇଁ କାଳ ହେଲା । ଟଙ୍କା ମାଗିବାରୁ ଦଲାଲ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାରପିଟ୍ କରିଥିଲା । ଅଶେଷ ନିର୍ଯାତନା ଦେଇଥିଲା । ଏପରିକି ଜବରଦସ୍ତ ନିଶା ଦେଇ ଅଚେତ କରିବା ପରେ ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲା । ଶାଙ୍କ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଝାନ୍ସିର ଏକ ମେଡ଼ିକାଲରେ ଭର୍ତ୍ତି କରିଥଲା ଓ ସେଠାରେ ୨ଦିନ ଚିକିତ୍ସା କରିବା ପରେ ୩୦ ତାରିଖରେ ତାଙ୍କୁ ଘରେ ଛାଡ଼ି ପଳାଇଥିଲା ଏହି ଦଲାଲ । ପୁଲିସକୁ ଜଣାଇଲେ ତାଙ୍କୁ ଓ ତାଙ୍କ ପିଲାଛୁଆଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ଶାଙ୍କ ଓ ତାଙ୍କ ପତ୍ନୀ ଦଲାଲର ଧମକରେ ଭୟଭୀତ ହୋଇ ପୁଲିସରେ ଅଭିଯୋଗ କରିନାହାନ୍ତି । ପତ୍ନୀ କହିଛନ୍ତି, ମୋ’ ସ୍ୱାମୀଙ୍କୁ ଜୋର କରି ନେଇ ଯାଇଥିଲେ । ଯିବାର କିଛି ଦିନ ପରେ ଦଲାଲ ଓ ତା’ ସହଯୋଗୀମାନେ ଫୋନ୍ କରି ପାପୁଲି ଏବଂ ଗୋଡ଼ କଟିଯାଇଥିବା କହିଥିଲେ । ଏବେ ଶାଙ୍କ ଭାଗ୍ୟକୁ ଆଦରି ଘରେ ପଡ଼ିରହିଛନ୍ତି । ସ୍ୱାମୀଙ୍କ ଏ ଭଳି ଅବସ୍ଥାରେ ପତ୍ନୀ ଅସହାୟ ହୋଇପଡ଼ିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *