ବିରଜାଙ୍କ ରଥଯାତ୍ରା ଶେଷ

ଯାଜପୁର (ଆପ୍ର) : ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ନବ ଦିନ ବ୍ୟାପି ମା’ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ସୋମବାର ଶେଷ ହୋଇଛି । ସେହିପରି ସୋମବାର ମହାସମାରୋହରେ ମହାନବମୀ ପାଳିତ ହୋଇଛି । ମହାନବମୀ ଅବସରରେ ଦଶାଶ୍ୱମେଧ ଘାଟରୁ ବ୍ରାହ୍ମଣ ଦ୍ୱାରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯିବା ପରେ ବେଶଭୁଷା କରି ନୈବିଦ୍ୟ ଅର୍ପଣ ପରେ ନବମୀ ବିହିତ ପୂଜା କରାଯାଇଥିଲା । ଏହାସହ ରଥରେ ବିଜେ ପ୍ରତିମାଙ୍କ ପୂଜା କରାଯାଇ ମା’ଙ୍କୁ ନୀତି ଅର୍ପଣ ପରେ ପହଡ ହୋଇଥିଲା ।
ପହଡ ଖୋଲିବା ପରେ ମା’ଙ୍କର ଶ୍ରୀ ଅଙ୍ଗଲାଗି ସେବାୟତ ମା’ଙ୍କ ଆର୍ଶାଦଣ୍ଡକୁ ଧରି ରଥ ଉପରେ ବିଜେ ହେବା ପରେ ନବମୀ ଦିନ ଶ୍ରୀ ଅଙ୍ଗଲାଗି ସେବାୟତ, ମା’ଙ୍କ ସେବାରେ ନିୟୋଜିତ ବିଭିନ୍ନ ସେବାୟତ ଓ ପୁଲିସ୍ ବାହିନୀ ମା’ଙ୍କର ସିଂହଧ୍ୱଜ ରଥକୁ ଟାଣି ସିଂହଦ୍ୱାର ନିକଟରେ ରଖିଥିଲେ । ପରେ ଆର୍ଶାଦଣ୍ଡ ଧରି ମା’ଙ୍କର ଶ୍ରୀ ଅଙ୍ଗଲାଗୀ ସେବାୟତ ରଥରୁ ଓହ୍ଲାଇ ମା’ଙ୍କ ଗର୍ଭଗୃହରେ ରଖିବା ପରେ ଆଳତୀ ହୋଇଥିଲା । ରାତି ୧୦ଟା ପରେ ମା’ଙ୍କର ସିଂହାସନ ସମ୍ମୁଖରେ ମନ୍ଦିର ଟ୍ରଷ୍ଟି ତଥା ଉପ-ଜିଳ୍ଲପାଳ, ଧର୍ମାଧିକାରୀ, ପୂଜକ, ପାଳିହା, ଲାଖ, ସମିଧ, ଆର୍ଶା, ତରାସ, ଛତା, ·ମର ଓ ମା’ଙ୍କ ପୂଜାରେ ନିୟୋଜିତ ହୋଇଥିବା ବିଭିନ୍ନ ସେବାୟତଙ୍କୁ ଶିରିପା ବନ୍ଧା ହେବାପରେ ସମସ୍ତେ ରଥ ଦାଣ୍ଡରେ ଥିବା ମା’ଙ୍କ ସିଂହଧ୍ୱଜ ରଥକୁ ଆସିଥିଲେ । ପରେ ଏକ ସୁସଜ୍ଜିତ ବିମାନରେ ମା’ଙ୍କର ବିଜେ ପ୍ରତିମାଙ୍କୁ ଲାଖବିନ୍ଧା ପଡିଆକୁ ନିଆଯାଇଥିବା ବେଳେ ସେଠାରେ ମା’ଙ୍କ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମହିଷି ରୂପୀ ଅସୁରର ନିଧନ ସ୍ୱରୂପ ଚତୁର୍ଦ୍ଦିଗକୁ ଲାଖଧାରି ପୂଜକ ଶର ନିକ୍ଷେପ କରିଥିଲେ । ପରବର୍ତ୍ତୀ ସମୟରେ ମା’ବିରଜାଙ୍କୁ ସୁସଜ୍ଜିତ ବିମାନକୁ ନଗର ପରିକ୍ରମ କରାଇ ବିଜେ ପ୍ରତିମାକୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *