୩ବର୍ଷର ପୁଅକୁ କଚାଡ଼ି ହତ୍ୟା
ପରକୀୟା ପ୍ରୀତି
ପଟ୍ଟାମୁଣ୍ଡାଇ (ଆପ୍ର): ପରକିୟା ପ୍ରୀତି ଓ ଅନୈତିକ ପ୍ରେମ ସମ୍ପର୍କ ଯୋଗୁଁ ବଳି ପଡ଼ିଛି ଏକ ନିଷ୍ପାପ ଶିଶୁପୁତ୍ରର ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଦିହୁଡିପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପ୍ରକାଶ ଯେ ଦିହୁଡିପୁର ପଞ୍ଚାୟତ ମାଟିଆପଡାର ସୁକାନ୍ତ ନାଥଙ୍କ ପତ୍ନୀ ସସ୍ମିତା ନାଥ ନିଜର ପିଲାମାନଙ୍କୁ ପଢ଼ାଇବା ପାଇଁ ଗାଁରୁ ଆସି ପଟ୍ଟାମୁଣ୍ଡାଇ ସହର ଚୂନଡିହ ଠାରେ ଘର ଭଡ଼ା ନେଇ ରହୁଥିଲେ । ହେି ଘରେ ସସ୍ମିତାଙ୍କ ସହ ବଡ଼ ଝିଅ (୧୨), ବଡ଼ ପୁଅ (୧୦) ଓ ସାନପୁଅ (୨) ରହୁଥିବା ବେଳେ ସ୍ୱାମୀ ସୁକାନ୍ତ ବାଙ୍ଗାଲୋରରେ ରହି କାମ କରୁଛନ୍ତି । ଏଠାରେ ରହିବାର କିଛିଦିନ ମଧ୍ୟରେ ସସ୍ମିତାଙ୍କ ସହ ପଟ୍ଟାମୁଣ୍ଡାଇ ଥାନା ଗୋପ୍ତିରାର ଲଷ୍ମୀଧର ବାଇଙ୍କ ସହ ଦୀର୍ଘ ୬ମାସ ହେବ ଅନୈତିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ତେବେ ଉଭୟ ସସ୍ମିତା ଓ ଲକ୍ଷ୍ମୀଧର ରାଜ୍ୟ ବାହାରକୁ ଚମ୍ପଟ ମାରିବାକୁ ଯୋଜନା କରିଥିଲେ । ସେହି ଅନୁସାରେ ବଡ଼ ଝିଅ ଓ ପୁଅକୁ ସ୍ୱାମୀଙ୍କ ପରିବାର ପାଖରେ ଛାଡ଼ିବାକୁ ଥିବାବେଳେ ମା’ କ୍ଷୀର ଖାଉଥିବା ୨ ବର୍ଷର ଶିଶୁପୁତ୍ର ଏଥିରେ ବାଧକ ସାଜିଥିଲା । ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଗତ ୧ ତାରିଖ ଅପରାହ୍ଣ ୨ଟା ସମୟରେ ଉଭୟ ଲଷ୍ମୀଧର ଓ ସସ୍ମିତା ୨ବର୍ଷର ପୁଅକୁ ଗାଧୋଇବା ପାଇଁ ଗାଧୁଆ ଘରକୁ ନେଇଥିଲେ । ସେଠାରେ ପୁଅ କାନ୍ଦିବାରୁ ସସ୍ମିତାଙ୍କ ଉପସ୍ଥିତିରେ ଲକ୍ଷ୍ମୀଧର ଉତକ୍ଷିପ୍ତ ହୋଇ ତାକୁ ଗାଧୁଆ ଘର ଚଟାଣରେ କଚାଡି ଦେଇଥିଲା । ପରେ ପୁଅ ସଂଜ୍ଞାହୀନ ହୋଇ ପଡିବାରୁ ତାକୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ ସସ୍ମିତା ଏ ସମ୍ପର୍କରେ ତା’ ଶାଶୂଘର ଲୋକଙ୍କୁ କହିଥିଲା ଯେ, ପୁଅ ଭଡ଼ାଘର ଶିଡ଼ିକୁ ପଡ଼ି ମୃତୁ୍ୟବରଣ କରିଛି । ପରେ ସସ୍ମିତାଙ୍କ ଶାଶୂଘର ଲୋକେ ପୁଅର ଶବକୁ ମାଟିଆପଡାରେ ପୋତି ଦେଇଥିଲେ । ତେବେ ଘଟଣା ଘଟିବା ଦିନ ମୃତ ପୁଅର ବଡ଼ଭାଇ ଓ ଭଉଣୀ ତଥା ସସ୍ମିତାର ଅନ୍ୟ ଦୁଇ ପୁଅ ଝିଅ ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ମାଡ଼ ଭୟରେ ଚୁପ୍ ରହିଥିଲେ । ଶବ ସଂସ୍କାର ଦିନ ସସ୍ମିତାଙ୍କ ବାପଘର ଲୋକେ ସେଠାରେ ଉପସ୍ଥିତ ଥିବା ବେଳେ ଉଭୟ ଛୋଟ ଭାଇ-ଭଉଣୀ ହତ୍ୟାର ଘଟଣାବଳୀ ତାଙ୍କ ଅଜାଙ୍କୁ ଜଣାଇଥିଲେ ।
ଏହା ପରେ ଥାନାରେ ଅଭିଯୋଗ ହେବା ପରେ ସୋମବାର ସ୍ଥାନୀୟ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମାଟିଆପଡାରୁ ମାଟି ତଳେ ପୋତା ହୋଇଥିବା ଶିଶୁପୁତ୍ରର ଶବ ଖୋଲି ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା । ପୁଲିସ୍ କେସ୍ ନଂ ୪୮୬/୨୨ ରୁଜୁ କରି ମାମଲାରେ ସମ୍ପୃକ୍ତ ଲଷ୍ମୀଧର ବାଇ ଓ ସସ୍ମିତା ନାଥଙ୍କୁ ଗିରଫ କରିଛି ।