ଗ୍ରାମସଭା ବର୍ଜନ କଲେ ଜନପ୍ରତିନିଧି
ଗ୍ରାମ ରୋଜଗାର ସେବିକାଙ୍କ ମନୋମୁଖୀ କାର୍ଯ୍ୟ
ପାଟପୁର (ଆପ୍ର): ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବିକା ସନ୍ଧ୍ୟା ସେଠୀଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ରବିବାର ପଞ୍ଚାୟତ ଜନପ୍ରତିନିଧିମାନେ ଗ୍ରାମସଭା ବର୍ଜନ କରିଥିବା ଜଣାପଡ଼ିଛି । ଖବର ପ୍ରକାରେ ଅକ୍ଟୋବର ୨ ତାରିଖଠାରୁ ସରକାରଙ୍କ ନିଦେ୍ର୍ଦଶ କ୍ରମେ ପ୍ରତ୍ୟେକ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଉନ୍ନତି ନିମନ୍ତେ ଗ୍ରାମସଭା ଜରିଆରେ ଆଲୋଚନା କରାଯିବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଏଠାକାର ଜିଆରଏସ୍ ଶ୍ରୀମତୀ ସେଠୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ପୂର୍ବରୁ ଡେଙ୍ଗାଡ଼ି ପଞ୍ଚାୟତକୁ ବଦଳି ହୋଇଥିଲା । ପରବର୍ତ୍ତୀ ସମୟରେ ପୁଣିଥରେ ଏହି ପଞ୍ଚାୟତକୁ ବଦଳି ହେବା ପରେ ଜନପ୍ରତିନିଧି ପଞ୍ଚାୟତବାସୀ ଏହାକୁ ବିରୋଧ କରିବା ସହ ଅନ୍ୟତ୍ର ବଦଳି କରିବାକୁ ସ୍ଥାନୀୟ ବିଡିଓଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଆରଏସ୍ଙ୍କ ବଦଳି ନ ହେବା କାରଣରୁ ନିର୍ବାଚିତ ଜନପ୍ରତିନିଧି ପଞ୍ଚାୟତବାସୀ ଗ୍ରାମସଭା ବର୍ଜନ କରିଥିଲେ । ଏପରିକି ଉକ୍ତ ଅଧିକାରିଣୀ ଜଣକ ଅନ୍ୟତ୍ର ବଦଳି ନ ହେବା ପର୍ଯ୍ୟନ୍ତ ପଞ୍ଚାୟତରେ କୌଣସି ସଭାସମିତି ନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଡ଼ଙ୍କ ନେତୃତ୍ୱରେ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ଼ ସମେତ ସମସ୍ତ ୱାର୍ଡ ମେମ୍ବର ପଞ୍ଚାୟତ ବାହାରେ ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଜଣେ ହିଁ ମେମ୍ବର ଆସିଛନ୍ତି ଏଣୁ କୌଣସି କାର୍ଯ୍ୟ ହୋଇପାରିଲା ନାହିଁ । ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆଗାମୀ ଦିନରେ ଗ୍ରାମସଭା କରାଯିବ ।